ସହି ହେଲାନି ନିଶାଡ଼ି ପୁଅର ବ୍ୟବହାର, କାର ଭିତରେ ନିଜକୁ ନିଆଁ ଲଗାଇ ବାପାମାଆଙ୍କ ଆତ୍ମହତ୍ୟା


କେରଲା: ନିଶାଶକ୍ତ ପୁଅର କାର୍ଯ୍ୟକଳାପ କରି ଦେଇଥିଲା ଅତିଷ୍ଠା । ଯେତେ ଚେଷ୍ଟା କଲେ ବି ପୁଅ ନା ନିଶା ଛାଡୁଥିଲା, ନା ବାଟକୁ ଆସୁଥିଲା । ସବୁ ବେଳେ ଘରେ ଲାଗି ରହୁଥିଲା ଅଶାନ୍ତି । ଏମିତି ସ୍ଥିତିରେ ବୃଦ୍ଧ ମାଆବାପା ନେଲେ ଚରମ ନିଷ୍ପତ୍ତି । ନିଜକୁ କାର ଭିତରେ ଲକ କରି ଲଗାଇ ଦେଲେ ନିଆଁ । ଚାହୁଁ ଚାହୁଁ କାର ସହ ଜଳି ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଏମିତି ଘଟଣା ଘଟିଛି କେରଳର ପଥନମଥିଟ୍ଟାରେ ।

ମୃତ ଦମ୍ପତି ହେଲେ ୬୯ ବର୍ଷୀୟ ରାଜୁ ଥାମସ ଜାର୍ଜ ଓ ତାଙ୍କ ପତ୍ନୀ ୬୩ ବର୍ଷୀୟ ଲେଗି ଥାମସ । ଉଭୟଙ୍କ ମୃତଦେହକୁ ସେମାନଙ୍କ କାର୍‌ ଭିତରୁ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ରାଜୁ ଏବଂ ଲେଗିଙ୍କ ଗୋଟିଏ ପୁଅ । ହେଲେ ସେ ସବୁବେଳେ ନିଶାଗ୍ରସ୍ତ ରହୁଥିଲା । ସେ ଘରକୁ ସବୁ ବେଳେ ମଦ ପିଇ ଆସୁଥିଲା ଓ ବାପାମାଆଙ୍କ ସହ ଝଗଡ଼ା କରୁଥିଲା । ପୁଅର କୁଅଭ୍ୟାସ ଛଡ଼ାଇବା ନିମନ୍ତେ ସେମାନେ ତାଙ୍କ ବିବାହ କରାଇ ଦେଇଥିଲେ । ହେଲେ ଏଥିରେ ବି ପୁଅର ଚରିତ୍ରରେ କିଛି ସୁଧାର ଆଓିଲଶନି । ବିବାହ ପରେ ସେ ଏକ ଝିଅର ବାପା ହୋଇ ସାରିଥିଲେ ବି ନିଶା ଛାଡ଼ି ପାରୁନଥିଲେ । ଫଳରେ ଘରେ ଅଶାନ୍ତ ଲାଗି ରହୁଥିଲା । ଏଥିରେ ଅତିଷ୍ଠ ବାପାମାଆ ପୁଅକୁ ସରକାରୀ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତଥାପି ଶାନ୍ତି ମିଳୁ ନଥିବାରୁ ଶେଷରେ ନିଜ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ।

ସେମାନେ ଘରେ ଏକ ସୁଇସାଇଡ ନୋଟ ଲେଖି ନିଜ କାର୍‌ ଭିତରକୁ ଚାଲିଯାଇଥିଲେ । ସେଠାରେ ଗାଡ଼ିର ଡୋରକୁ ଲକ୍‌ କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଉଭୟ ତା’ ଭିତରେ ଜଳି ଯାଇଥିଲେ । ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘରୁ ସୁଇସାଇଡ ନୋଟ ଜବତ କରିଛି । ପୁଅର ନିଶା ଅଭ୍ୟାସରେ ଅତିଷ୍ଠ ହୋଇ ଏପରି ପଦକ୍ଷେପ ଉଠାଉଥିବା ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି । ଏହାସହ ନିଜର ସମସ୍ତ ସମ୍ପତ୍ତି ବୋହୂ ଓ ନାତୁଣୀ ନାମରେ କରି ଦେଇଥିବା ସୁଇସାଇଡ ନୋଟ୍‌ରେ ଲେଖି ଯାଇଛନ୍ତି ।