ହାଓ୍ବଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ୨ ମୃତ, ୨୦ ଆହତ


ଝାରଖଣ୍ଡ: ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଛି । ଫଳରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ରେଳବାଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କି.ମି. ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ ।

ଦୁର୍ଘଟଣା ଯୋଗୁଁ ଟ୍ରେନ୍‌ର ୧୮ଟି ବଗି ଟ୍ରାକରୁ ଖସି ଯାଇଥିବା ଜଣାଯାଇଛି । ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଟ୍ରାନ୍ ଲାଇଚ୍ୟୁତ ହେଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛନ୍ତି । ତୁରନ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବହୁ ଯାତ୍ରୀ ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ବେଳେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟ ପଥକୁ ଯିବାପାଇଁ ରେଲୱେର ସ୍ପେଶାଲ ଟ୍ରେନ୍‌ ଓ ବସର ବ୍ୟବସ୍ଥା କରାଯାଇଛି ।

ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ ପରେ ୫ଟି ଟ୍ରେନ୍ ଟଳାଚଳ ବାତିଲ୍ କରାଯାଇଛି । ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ଟାଟାନଗର-ଇଟୱାରୀ ଏକ୍ସପ୍ରେସ, ସାଲିମା-ଏଲଟିଟିଏକ୍ସପ୍ରେସ ଟ୍ରେନ । ଦୁର୍ଘଟଣା ଯୋଗୁଁ ୪ଟି ଟ୍ରେନ୍‌କୁ ସ୍ୱଳ୍ପ ବାତିଲ୍ କରାଯାଇଥିବା ବେଳେ ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଆହତଙ୍କ ସମ୍ପର୍କରେ ଅଧିକ ସୂଚନା ଦେବା ନିମନ୍ତେ ହାୱଡା ଷ୍ଟେଶନରେ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି ।

ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲପଲାଇନ୍ ଜାରି ହୋଇଛି । ରାଉରକେଲା ପାଇଁ ହେଲପ ଲାଇନ୍ ନମ୍ବର- 0661-2501072/2500244/2500191/2500171, ଝାରସୁଗୁଡ଼ା ପାଇଁ ହେଲପ ଲାଇନ୍ ନମ୍ବର- 06645-272530, ଚକ୍ରଧରପୁର ପାଇଁ ହେଲପ ଲାଇନ୍ ନମ୍ବର- 72770, 06587-238072 ଓ ଟାଟାନଗର ପାଇଁ ହେଲପଲାଇନ୍ ନମ୍ବର- 0657-2290324, RLY-73523 ।