ଟିକାବାଲି ବ୍ଲକରେ ନୂତନ ବି.ଡ଼ି.ଓ. ନିଯୁକ୍ତି ପାଇଁ ଦାବୀ


ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ କାର୍ଯ୍ୟାଳୟ ରେ ସ୍ଥାୟୀ ବି. ଡ଼ି.ଓ. ନ ଥିବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥ‌ିବା ଦେଖୁବାକୁ ମିଳିଛି । ପୂର୍ବରୁ ଥ‌ିବା ବିଡ଼ିଓ ମନୋଜ କୁମାର ପାଢ଼ୀ ଗତ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ବିଡ଼ିଓ ନିଯୁକ୍ତି ହୋଇ ନାହାନ୍ତି, ଯାହା ଫଳରେ ଦୀର୍ଘ ୩ ମାସ ହେଲା ଏହି ପଦବୀ ଖାଲି ପଡିଛି | ବର୍ତ୍ତମାନ ଚକାପାଦ ବି. ଡ଼ି. ଓ. ହୃଦରଞ୍ଜନ ସାହୁ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ତେବେ ଦୁଇ ଦୁଇଟି ଦାୟିତ୍ବ ତୁଳାଉ ଥିବାରୁ ସେ ସମ୍ପୂର୍ଣ୍ଣ ସମୟ ଦେଇ ପାରୁନାହାନ୍ତି । ଫଳରେ ଜନସାଧାରଣ ଅସୁବିଧା ଭୋଗୁଥ‌ିବା ଦେଖିବାକୁ ମିଳିଛି । ଟିକାବାଲି ବ୍ଲକ୍ ଅଧୀନରେ ୧୧ ଗୋଟି ଗ୍ରାମ ପଞ୍ଚାୟତ ରହୁଥ‌ିବା ବେଳେ ଚକାପାଦ ବ୍ଲକ୍ ର ଅଧୀନରେ ୧୨ ଟି ଗ୍ରାମ ପଞ୍ଚାୟତ ରହିଛି । ବିଭିନ୍ନ କାମ ପାଇଁ ୨୫ କିଲୋମିଟର ଦୂରରୁ ଲୋକେ ଆସି ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି । ଏତେ ଦୂରରୁ ଜନସାଧାରଣ ଗୋଟିଏ କାମ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଖର୍ଚ୍ଚାନ୍ତ ହେବା ସହ ହଟ ହଟା ମଧ୍ୟ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଟିକାବାଲି ବ୍ଲକ୍ ପାଇଁ ନୂତନ ବି. ଡ଼ି.ଓ. ନିଯୁକ୍ତି କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।