ଲକ୍ଷ୍ନୌ: ଶ୍ରାବଣ ତୃତୀୟ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ଯାଉଥିବା କାଉଡିଆଙ୍କ ଉପରେ ଚଢ଼ିଗଲା ବିଜେପି ନେତାଙ୍କ ଗାଡି । ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ କାଉଡିଆ ଗୁରୁତର ଆଡତ ହୋଇଛନ୍ତି । ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁସାରେ, କାଉଡିଆମାନେ ଜଳାଭିଷେକ ପାଇଁ ମହମୁଦାବାଦରୁ ଭଗୌଲି ବାରାବଙ୍କି ଯାଉଥିଲେ । ଏହି ସମୟରେ ସୀତାପୁରର ବିଜେପି ନେତାଙ୍କ ଗାଡି ଦ୍ରୁତଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା । ଏଥିରେ ୪ ଜଣ କାଉଡିଆ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତାହତ କାଉଡିଆ ନବାଳକ, ନାବାଳିକା ଥିବା ପୋଲିସ କହିଛି । ଗୁରୁତରଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଦୁର୍ଘଟଣାରେ ଯୁବତୀ କାଉଡିଆ ନେହାଙ୍କ ମୃତ୍ୟୁ ପରେ ଅନ୍ୟ କାଉଡିଆଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରାସ୍ତା ଉପରେ ମୃତଦେହ ରଖି ସେମାନେ ପ୍ରତିବାଦ କରିଛନ୍ତି ।
ସୂଚନା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ କଉଡିଆଙ୍କ ହଙ୍ଗାମା ଥମି ନଥିଲା । ବିରୋଧ ବଢ଼ୁଥିବା ଦେଖି କୋତୱାଲି ପୋଲିସ ସମେତ ଚାରିଟି ଥାନାରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ପୋଲିସ ଦୁର୍ଘଟଣା ଘଟାଇଥିବା ବିଜେପି ନେତାଙ୍କ ଗାଡିକୁ ଜବତ କରିବା ପରେ କାଉଡିଆମାନେ ଶାନ୍ତ ହୋଇଥିଲେ ।