ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଆଜିର ଦିନ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ଓଡ଼ିଆ ଆଥଲେଟ୍ କିଶୋର ଜେନା । ପଦକର ପ୍ରବଳ ଦାବିଦାର ଅଛନ୍ତି ନୀରଜ ଚୋପ୍ରା । ସେ ଦ୍ୱିତୀୟ ଅଲିମ୍ପିକ୍ସ ମେଡାଲ୍ ଲକ୍ଷ୍ୟରେ ରହିଛନ୍ତି ।
ଦିନ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ୱାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ । ଏହି ମ୍ୟଚ୍ରେ ଭାରତ-ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ । ଜାଭଲିନ୍ ଥ୍ରୋରେ ନୀରଜ ଚୋପ୍ରା ଓ ପାକିସ୍ତାନର ଚ୍ୟାଲେଞ୍ଜର ଅସରଦ୍ ନାଦିମଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ତେବେ ଏହି ଇଭେଣ୍ଟରେ ପ୍ରଥମେ ଭାରତ ପକ୍ଷରୁ ଓଡ଼ିଆ ପୁଅ କିଶୋର କୁମାର ଜେନା ଜାଭଲିନ ଥ୍ରୋ କରିବେ ।
ନୀରଜ ଚୋପ୍ରା ୨୦୨୨ରେ ଡାଇମଣ୍ଡ ଲିଗ୍ ଓ ୨୦୨୩ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି ।