ସଂସଦକୁ ଭ୍ରମିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୟରାମ ରମେଶ ଦେଲେ ବିଶେଷାଧିକା ହନନର ନୋଟିସ୍


ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହକୁ ଭ୍ରମିତ କରିଛନ୍ତି । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି)ର ପାଠ୍ୟପୁସ୍ତକରୁ ସମ୍ବିଧାନର ପ୍ରସ୍ତାବନାକୁ ହଟାଯିବା ପ୍ରସଙ୍ଗରେ ଗୃହକୁ ଧର୍ମେନ୍ଦ୍ର ପ୍ରଧାନ ଭ୍ରମିତ କରିଥିବା କହିଛନ୍ତି ଜୟରାମ ରମେଶ । ତେଣୁ ତାଙ୍କ ବିରୋଧରେ ରାଜ୍ୟସଭାରେ ବିଶେଷ ଅଧିକାର ହନନର ନୋଟିସ ଦେଇଛି କଂଗ୍ରେସ ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ନିକଟକୁ ପଠାଯାଇଥିବା ନୋଟିସରେ ରମେଶ କହିଛନ୍ତି, ୨୦୨୪ ଅଗଷ୍ଟ ୭ ତାରିଖରେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ତୃତୀୟ ଏବଂ ଷଷ୍ଠ ଶ୍ରେଣୀର ପିଲାଙ୍କ ପାଇଁ ଏନସିଇଆରଟି ଦ୍ୱାରା ପାଠ୍ୟପୁସ୍ତକରେ ଭାରତର ସମ୍ବିଧାନ ପ୍ରସ୍ତାବନାକୁ ହଟାଯିବା ପ୍ରସଙ୍ଗ ଉଠାଇଥିଲେ ।

ଏହାର ଜବାବରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରେ କହିଲେ, ଷଷ୍ଠ ଶ୍ରେଣୀର ଯେଉଁ ପାଠ୍ୟପୁସ୍ତକ ଆସିଛି ସେଥିରେ ମଧ୍ୟ ପ୍ରସ୍ତାବନା ରହିଛି । ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶଙ୍କ ଅନୁସାରେ ପ୍ରଧାନଙ୍କ ଏହି ଟିପ୍ପଣୀ ତଥ୍ୟାତ୍ମକ ଭାବେ ଭୁଲ ଏବଂ ଭ୍ରମିତ କରିବା ଭଳି ରହିଛି ।

ଋମେଶ କହିଛନ୍ତି, ସ୍କୁଲ ପିଲାଙ୍କ ପାଠ୍ୟପୁସ୍ତକରୁ ସମ୍ବିଧାନର ପ୍ରସ୍ତାବନା ହଟାଇ ଦେବା ଭାରତର ସମ୍ବିଧାନର ଭାବନା ବିଷୟରେ ଦେଶର ଯୁବ ପିଢିକୁ ସଚେତନ କରାଇବା ବିରୋଧରେ ରହିଛି । ଏହା ଦେଶ ପ୍ରତି ଅପମାନ । ଗୃହରେ ଭ୍ରମିତ କରିବା ଏବଂ ଭୁଲ ତଥ୍ୟ ଦେବା ବିଶେଷାଧିକାରର ଉଲ୍ଲଂଘନ ଓ ଗୃହର ମର୍ଯାଦାହାନୀ କରୁଛି ।

ଋମେଶ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କୁ ସମ୍ବୋଧିତ ନୋଟିସରେ କହିଛନ୍ତି, ମୁଁ ଆପଣଙ୍କୁ ଏହି ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଶେଷାଧିକାର କ୍ଷୁର୍ଣ୍ଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଅନୁରୋଧ କରୁଛି ।