Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରାଜିଲରେ ବିମାନ ଦୁର୍ଘଟଣା, ସମସ୍ତ ୬୨ ଯାତ୍ରୀ ମୃତ

ନୂଆଦିଲ୍ଲୀ: ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି ।

ବୋଏପାସ୍‌ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା ।

ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଥିଲା । ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା । ବିମାନରୁ କଳା ଧୂଆଁ ବାହାରିବା ସହ ନିଆଁ ଲାଗି ଯାଇଥିଲା ।

ଖବର ପାଇ ସ୍ଥାନୀୟ ପୋଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ବିମାନଟି ଜନବସତି ଅଞ୍ଚଳ ନିକଟରେ ପଡ଼ିଥିଲେ ବି ସାଧାରଣ ଲୋକେ କେହି ମୃତାହତ ହୋଇ ନାହାନ୍ତି । କେବଳ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ବେଳର ଭୟଙ୍କର ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ବ୍ରାଜିଲ ରାଷ୍ଟ୍ରପତି ବିମାନ ଦୁର୍ଘଟଣା ସମ୍ପର୍କରେ ଦେଶବାସୀଙ୍କୁ ସୂଚିତ କରି ଏକ ଦୁଃଖଦ ଘଟଣାର ବାହକ ସାଜିବାକୁ ପଡ଼ୁଥିବା କହିଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଯାଇଛି। ସାଓ ପାଓଲୋ ଗଭର୍ଣ୍ଣର ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି। ବିମାନ ଦୁର୍ଘଟଣା ପଛର କାରଣ କ’ଣ, କ’ଣ ପାଇଁ ଅକାଳରେ ଚାଲିଗଲା ୬୨ ଜୀବନ ତାହାର ତଦନ୍ତ ନିମନ୍ତେ ଏକ କମିଟି ଗଠିତ ହୋଇଛି। ଏହି କମିଟି ଖୁବ୍‌ ଶୀଘ୍ର ସମସ୍ତ ଘଟଣାର ଅନୁସନ୍ଧାନ କରି ରିପୋର୍ଟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ