ଭୁବନେଶ୍ଵର: କୁହାଯାଏ ଦୁନିଆରେ ନୀତି ମଧ୍ୟରୁ ଶ୍ରେଷ୍ଠ ହେଉଛି ରାଜନୀତି। ଯଦି ଥରୁଟିଏ ରାଜନୀତିରେ ପାଦ ଥାପି ଦିଆଯାଏ ତେବେ ଶରୀରରେ ବଳ ଥିବା ପର୍ୟ୍ୟନ୍ତ ଏଥିରୁ ନିବୃତ ହେବାକୁ ଇଚ୍ଛା ହୁଏନି। ସମୟକ୍ରମେ ଦଳ ଛାଡିଥିଲେ ହେଁ ନିଜ ଭିତରେ ଥିବା ରାଜନୈତିକ ମହତ୍ଵାକାଂକ୍ଷାକୁ ପରିତ୍ୟାଗ କରି ହୁଏ ନାହିଁ। ଅର୍ଥାତ ନିଜକୁ ନିର୍ଦ୍ଦଳୀୟ ନେତାର ମଧ୍ୟ ପରିଚୟ ଦେଇହୁଏ। ଆମେ ଏଠି ସେହି ନେତାଙ୍କ ବିଷୟରେ ଆଲୋଚନା କରୁଛନ୍ତି ଯିଏ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ବୋଧହୁଏ ଏବେ ଅଛନ୍ତି କହିଲେ ଅତ୍ୟୁକ୍ତି ବି ହେବନି। ସେ ଢେଙ୍କାନାଳ ଲୋକସଭା ଆସନରୁ ଚାରି ଚାରି ଥର ନିର୍ବାଚିତ ହୋଇ ସାରିଛନ୍ତି। ତଥାଗତ ଶତପଥୀ, ଯାହାଙ୍କ ବିଜୁ ଜନତା ଦଳର ନୂତନ ଦଳୀୟ କାର୍ୟ୍ୟାଳୟ “ଶଙ୍ଖ ଭବନ”ର ଉଦଘାଟନ ସଭାରେ ଯୋଗ ଦେଇ ସଂପ୍ରତି ଚର୍ଚ୍ଚାରେ ଅଛନ୍ତି।
ସାଧାରଣ ନିର୍ବାଚନ ପାଖେଇଲେ ନେତାମାନେ ଚଳଚଞ୍ଚଳ ହୋଇ ଉଠନ୍ତି, ଠିକ୍ ସେମିତି ତଥାଗତଙ୍କ ଗତିବିଧିରୁ ଏହା ପ୍ରତୀତମାନ ହେଉଛି। ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ଏହି ପୂର୍ବତନ ସାଂସଦ। ସେ ୨୦୧୯ରେ ରାଜନୀତିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ଏପରିକି ୨୦୧୯ ମେ ୩୦ ତାରିଖରୁ ସେ ଆଉ ବିଜେଡିରେ ନାହାନ୍ତି ବୋଲି କହିଥିଲେ। କିନ୍ତୁ ରବିବାର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବରେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କୁ ଦେଖିବାକୁ ମିଳିଛି। କଣ ବିଜେଡିକୁ ତାଙ୍କର ଘରବାହୁଡା ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।
ରବିବାର ବିଜେଡିର ନୂତନ ଦଳୀୟ କାର୍ଯ୍ୟାଳୟ “ଶଙ୍ଖ ଭବନ” ଉଦ୍ଘାଟନ ସଭାରେ ସେ ତଥାଗତ ଯୋଗ ଦେଇଥିଲେ। ସେ କହିଛନ୍ତି ମୋତେ ବିଜେଡି ସଭାପତି ନିମନ୍ତ୍ରଣ କରିଥିଲେ। ମୁଁ ନିର୍ଦ୍ଦଳୀୟ ଭାବେ ଓ ଜଣେ ସାମ୍ବାଦିକ ହିସାବରେ ଆସିଥିଲି । ମୁଁ କୌଣସି ଦଳରେ ନାହିଁ। ତାଙ୍କୁ ବିଜେଡି ସଭାରେ ଅନ୍ୟ ନେତୃବୃନ୍ଦଙ୍କ ସହ ହସଖୁସି କରୁଥିବାର ଦେଖିବାକୁ ମିଳିଛି। ବିଜେଡି ସଭାରେ ତାଙ୍କର ଉପସ୍ଥିତିକୁ ନେଇ ରାଜନୀତି ମହଲ ଏବଂ ବୁଦ୍ଧିଜୀବୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଯଦିଓ ସେ ଏଠାକୁ ସାମ୍ବାଦିକ ହିସାବରେ ଆସିଥିଲେ, ତଥାପି ଦଳୀୟ ନେତାଙ୍କ ଗହଣରେ ବସିବା ବିଜୁ ଜନତା ଦଳରେ ସେ ଏବେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଗତବର୍ଷ ମେ’ ମାସରେ ଢେଙ୍କାନାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଥାଗତ ଶତପଥୀ କହିଥିଲେ, ୨୦୧୯ ମେ’ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି। ରାଜନୀତିରୁ ସ୍ଵେଚ୍ଛାକୃତ ଅବସର ନେଇ ସାରିଛନ୍ତି। ୨୦୧୯ ନିର୍ବାଚନ ମଧ୍ୟ ଲଢିନଥିଲେ। କିନ୍ତୁ ଗତ ବର୍ଷ ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ତଥାଗତ ଶତପଥୀ କହିଥିଲେ। ଏହାର ଝଲକ ବିଜେଡିର ସଭାରେ ଯୋଗ ଦେବାରୁ ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି ତଥାଗତ ବିଜେଡିର ନା ନିର୍ଦ୍ଦଳୀୟ ? କଣ ବିଜେଡି ଟିକେଟରେ ସେ ୨୦୨୪ ନିର୍ବାଚନ ଲଢିବେ ନା ନିଜ ଧର୍ମପତ୍ନୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ।
ସୂଚନାଯୋଗ୍ୟ, ତଥାଗତ ବିଜେଡିରୁ ୧୯୯୮, ୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଢେଙ୍କାନାଳ ସଂସଦୀକ୍ଷ କ୍ଷେତ୍ରରୁ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ନିଜର ବୟାନ ଏବଂ ସଂପାଦକୀୟ ଲେଖା ଜରିଆରେ ବିଜେଡିକୁ ବିଗତ ଦିନରେ ଅଡୁଆରେ ପକାଇଥିଲେ। ଫଳରେ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଦେଖିବାକୁ ମଧ୍ୟ ମିଳିଥିଲା। କିନ୍ତୁ ଏବେ ରାଜନୀତି ପାଣିପାଗରେ ପରିବର୍ତ୍ତନ ଘଟିଲାଣି। ଆଗାମୀ ନିର୍ବାଚନ ପାଇଁ ପୁଣି ଥରେ ସଜବାଜ ନେତା ଏବଂ କର୍ମୀ। ତେବେ ଏଥିରୁ ତଥାଗତ ନିଜକୁ ବାଦ୍ ଦେବେ ନା ମଇଦାନକୁ ଓହ୍ଲାଇବେ ତାହା ଦେଖିବା ବାକି ରହିଲା।