ବିଜେପି କ୍ଷମତାକୁ ଆସିଲେ ଛତିଶଗଡରେ ଚାଲିବ ବୁଲଡୋଜର, ଏମିତି ଜବାବ ଦେଲା କଂଗ୍ରେସ


ରାୟପୁର: ଛତିଶଗଡରେ ବର୍ଷର ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଉତ୍ତର ପ୍ରଦେଶର ବୁଲଡୋଜର ସଂସ୍କୃତିର ଚର୍ଚ୍ଚା ଏବେଠୁ ଛତିଶଗଡରେ ଆରମ୍ଭ ହୋଇ ଯାଇଛି। ବିରୋଧୀ ଦଳ ବିଜେପି କହିଛି ରାଜ୍ୟରେ କଂଗ୍ରେସ ଶାସନରେ ଅପରାଧୀ ନିର୍ଭୟରେ ବିଚରଣ କରୁଛନ୍ତି। ବିଧାନସଭା ନିର୍ବାଚନରେ ପାର୍ଟି କ୍ଷମତାକୁ ଆସିଲେ ଏମିତି ଅସାମାଜିକ ତତ୍ତ୍ଵଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେବ। ଅନ୍ୟପଟେ କଂଗ୍ରେସ ବିଜେପିର ବୁଲଡୋଜର ବୟାନକୁ କଡା ନିନ୍ଦ କରିଛି। ଏହା ବିଜେପିର ହିଂସାତ୍ମକ ବିଚାରଧାରା ବୋଲି ପାର୍ଟି କହିଛି।

ରାଜ୍ୟ ବିଜେପି ସଭାପତି ଅରୁଣ ସାଓ କହିଛନ୍ତି, ଛତିଶଗଡରେ ୟୁପି ପରି ବୁଲଡୋଜର ଚାଲିବ। ଏଥିପାଇଁ ସରକାର ବଦଳାଇବାକୁ ପଡିବ। ରାଜ୍ୟରେ ଅପରାଧ ବଢି ଚାଲିଛି। ଯଦି ଏଥିରୁ କେହି ମୁକ୍ତି ଦେଇ ପାରିବ ସେ ହେଉଛି ଭାରତୀୟ ଜନତା ପାର୍ଟି। ବିଜେପି ବିଧାୟକ ବୃଜମୋହନ ଅଗ୍ରଓ୍ଵାଲ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବିକାଶ ଏବଂ ଉନ୍ନତି ଦରକାର ତେବେ ଆମକୁ ବୁଲଡୋର ଚଲାଇବାକୁ ପଡିବ। ତୃଷ୍ଟୀକରଣ ରାଜନୀତି ବନ୍ଦ କରିବାକୁ ପଡିବ।

ବିଜେପି ନେତାଙ୍କ ଏମିତି ବୟାନ ଉପରେ କଂଗ୍ରେସ କଡା ପ୍ରତିକ୍ରିୟା ଦେଇ ବିଜେପିର ଏମିତି ଦାବିକୁ ହିଂସା ବୋଲି କହିଛନ୍ତି। କଂଗ୍ରେସ ମୁଖପାତ୍ର ଧନଞ୍ଜୟ ସିଂ ଠାକୁର କହିଛନ୍ତି, ୨୦୧୩ ନିର୍ବାଚନରେ ହଳ ମଧ୍ୟ ଚାଲିବ। ହଳ ବିକାଶ ଏବଂ ସମୃଦ୍ଧିର ପ୍ରତୀକ। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସରକାର କୃଷକଙ୍କ ପାଇଁ କାମ କରିଛନ୍ତି। ତେଣୁ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବ । ହିଂସା କରୁଥିବା ବିଜେପିକୁ ଏହା ବୁଝିବାକୁ ପଡିବ ଯେ, ଏଠାରେ ବୁଲଡୋଜର ନୁହେଁ ସମ୍ବିଧାନର ରାଜ ରହିଛି।

ଛତିଶଗଡ କଂଗ୍ରେସର ସଞ୍ଚାର ବିଭାଗ ପ୍ରମୁଖ ସୁଶୀଲ ଆନନ୍ଦ ଶୁକ୍ଳା କହିଛନ୍ତି, ଛତିଶଗଡରେ ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟର ପ୍ରସଙ୍ଗକୁ ଘୋଷାଡୁଛନ୍ତି। ଛତିଶଗଡରେ ଏମିତି କୌଣସି ମାଫିଆ ନାହାନ୍ତି, ଯାହା ବିରୋଧରେ ବୁଲଡୋଜର ଚଲାଇବା କିମ୍ବା ଏନକାଉଣ୍ଟର କରିବାର ଆବଶ୍ୟକତା ରହିଛି। ଛତିଶଗଡ ଶାନ୍ତିର ରାଜ୍ୟ। ଛୋଟ-ମୋଟ ଘଟଣାକୁ ବାଦ୍ ଦେଲେ ଏଠାରେ କୌଣସି ବି ସଂଗଠିତ ଅପରାଧ ନାହିଁ।