ସମ୍ବଲପୁର: ଘରୁ ସାଇକେଲ ଧରି ସ୍କୁଲ ବାହାରିଲେ । ହେଲେ ସ୍କୁଲ ଯିବା ବଦଳରେ ମହାନଦୀ ବ୍ରିଜ ଉପରକୁ ଗଲେ । ସାଇକେଲ ଥୋଇ ବ୍ରିଜ୍ ବାଡ଼ ପାଖରେ ଛିଡ଼ା ହୋଇ ମହାନଦୀକୁ ଚାହିଁଲେ ଓ ହଠାତ ଡେଇଁ ପଡ଼ିଲେ । ଏମିତି ଘଟଣା ଘଟିଛି ସମ୍ବଲପୁରର ଚାଉଁରପୁର ବ୍ରିଜ୍ ଉପରେ । ଆଜି ସକାଳୁ ଜଣେ ନବମ ଶ୍ରେଣୀ ଛାତ୍ରୀ ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଛନ୍ତି । ନିଖୋଜ ଛାତ୍ରୀଙ୍କ ନାଁ କାଜଲ ବୋଲି ଜଣାପଡ଼ିଛି ।
କାଜଲ ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ବେଳେ ମର୍ଣ୍ଣିଂଓ୍ବାକରେ ଯାଇଥିବା ଲୋକେ ତାଙ୍କୁ ପାଟି କରି ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ କାଜଲଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଡେଇଁ ପଡ଼ିଥିଲେ ।
ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ମହାନଦୀରେ ବର୍ତ୍ତମାନ ହୀରାକୁଦ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଖୋଜାଖୋଜିରେ ସମସ୍ୟା ସୃଷ୍ଟି ହେଉଛି । ଖବର ପାଇ କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୂର୍ବରୁ ସବୁ କିଛି ଠିକ୍ ଥିବା ବେଳେ ଝିଅ କ’ଣ ପାଇଁ ଏପରି ପଦକ୍ଷେପ ନେଲା ତାହା ସେମାନେ ଜାଣି ପାରୁ ନାହାନ୍ତି ।