ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ


ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଏକ ବସ୍ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣ । ୨୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା । ଆତଙ୍କବାଦୀମାନେ ବସ୍ ଅଟକାଇ ଯାତ୍ରୀଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ ଓ ଏହାପରେ ଜଣ ଜଣ କରି ହତ୍ୟା କରିବା ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବେଲୁଚିସ୍ତାନ ଅଭିମୁଖେ ଯାଉଥିଲେ । ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍ ଅଟକାଇ ଓହ୍ଲାଇବାକୁ କହିଥିଲେ । ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହ ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।  ପାକିସ୍ତାନର ସଙ୍ଘୀୟ ସୂଚନା ମନ୍ତ୍ରୀ ଅତ୍ତଉହ୍ଲା ତାରର୍ କହିଛନ୍ତି, ଆତଙ୍କବାଦୀମାନେ ନିରୀହ ଯାତ୍ରୀଙ୍କୁ ଟାର୍ଗେଟ କରି ନିର୍ଦ୍ଦୟତାର ପରିଚୟ ଦେଇଛନ୍ତି । ଏହା ଏକ ବର୍ବର କାଣ୍ଡ । ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ରକ୍ଷା ପାରିବେ ନାହିଁ । ସେହିପରି ପାକିସ୍ତାନ ପଞ୍ଜାବ ସରକାରଙ୍କ ମୁଖପାତ୍ର ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।