ନୂଆଦିଲ୍ଲୀ: ଆସନ୍ତାକାଲି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍ । ଆଜି ସେ ଜେଏମଏମ ଏବଂ ହେମନ୍ତଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ଦେବା ପରେ କାଲି ବିଧିବଦ୍ଧ ଭାବେ ବିଜେପିରେ ମିଶି ପାରନ୍ତି ।
ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ ଚମ୍ପାଇ । ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେଣୁ ସେ ବିଜେପି ଶିବିରରେ ଏଣ୍ଟ୍ରି କରୁଥିବା ଚର୍ଚ୍ଚା ହେଉଛି । ଚମ୍ପାଇଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ବିଜେପିରେ ସାମିଲ ହେବେ ।
ଆଜି ଚମ୍ପାଇ ଦିଲ୍ଲୀରୁ ଝାଡ଼ଖଣ୍ଡ ଫେରି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ । ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ । ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା । ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ଗତ ୧୦ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ୩ ଦିନ କ୍ୟାମ୍ପ କରି ଝାଡ଼ଖଣ୍ଡ ଫେରିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।