ରାସ୍ତା ଉପରେ ଓଲଟିଲା କଣ୍ଟେନର ,ଉଭୟ ପାଶ୍ୱରେ ଅଟକିଲା ଶହଶହ ଗାଡି,


ବେଲଗୁଣ୍ଠା, 24/04, ଆଜି ରାତ୍ରି ଆଠ ଘଣ୍ଟା ତିରିଶି ମିନିଟ୍ ସମୟରେ ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣା-କ୍ଷତ୍ରିୟବରପୁର ମଝି ରାସ୍ତାରେ ଓଲଟି ପଡିବା ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବିଞ୍ଚଣା-କ୍ଷତ୍ରିୟବରପୁର ମଝିରେ ରାସ୍ତା କାମ ଚାଲୁଥିବା ଯୋଗୁଁ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି I ଏହି ସ୍ଥାନରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା I ରାସ୍ତା ମଝିରେ ଗାଡ଼ିଟି ଓଲଟି ପଡ଼ିବାରୁ ଉଭୟ ପାର୍ଶ୍ଵରୁ ଆସୁଥିବା ବହୁ ଗାଡ଼ି ରାସ୍ତାରେ ଅଟକି ଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପାଇଁ ଦୁଇଟି ଜେସିବି ମଗାଇଥିବା ଜଣା ପଡିଛି I ବର୍ତ୍ତମାନ ବ୍ରହ୍ମପୁରରୁ ଫୁଲବାଣୀ, ସମ୍ବଲପୁର,ଝାରସୁଗୁଡ଼ା, ରାଉରକେଲା ଯାଉଥିବା ବହୁ ବସ୍ ଅଟକିଥିବା ବେଳେ ଗାଡି ଗୁଡ଼ିକ ସମୟ ବଞ୍ଚାଇବା ପାଇଁ କେନାଲ୍ ରାସ୍ତା ଦେଇ ଯାଉଥିବା ଜଣାପଡିଛି I ରାସ୍ତା ସଫା ହେବା ବେଳକୁ ପାଖପାଖି ଦଶଟା ହୋଇଯିବ ବୋଲି ସୂଚନା ମିଳିଛି I ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି I