ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ଐତିହାସିକ ଦିନ । ଅଲିମ୍ପିକ୍ସ ହେଉ କି ପାରା ଅଲିମ୍ପିକ୍ସ ଭାରତ କେବେ ବି ଏମିତି ସଫଳତା ପାଇ ନଥିଲା । ଆଉ ଏହି ସଫଳତାଟି ହେଲା ଗୋଟିଏ ଦିନରେ ୮ଟି ପଦକ ଜିତିବା । ଗତକାଲି ପ୍ୟାରିସ ପାରା ଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାତେଇଛି । ଏହାକୁ ମିଶାଇ ଭାରତ ମୋଟ ୧୫ ପଦକ ଜିତି ୧୫ତମ ସ୍ଥାନରେ ରହିଛି । ସ୍ବର୍ଣ୍ଣରେ ୩, ରୌପ୍ୟରେ ୫ ଓ ବ୍ରୋଞ୍ଜରେ ୭ ପଦକ ସାମିଲ ଅଛି ।
ଅଲିମ୍ପିକ୍ସର ଐତିହାସିକ ଦିନରେ ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ ।
ଭାରତ ପକ୍ଷରୁ ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନୀତେଶ କୁମାର ଗୋଲ୍ଡ ଜିତିଛନ୍ତି । ପାରା ଅଲିମ୍ପିକ୍ସରେ ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ହାତେଇଛନ୍ତି ସ୍ୱର୍ଣ୍ଣ ପଦକ । ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-3 କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର ।
ପୁରୁଷ SL-4 କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ସିଲଭର୍ ମେଡାଲ୍ । ୨୦୨୧ରେ ବି ସେ ରୌପ୍ୟ ପଦକ ଜିତିଥିଲେ । ମହିଳା ସିଙ୍ଗଲ୍ସ SU-5 ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।
ପଞ୍ଚମ ଦିନରେ ଡିସକସ୍ ଥ୍ରୋ F-56 ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଛନ୍ତି । ୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି । ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି । ନିତ୍ୟା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ SH-6 ବର୍ଗରେ ପ୍ରତିଯୋଗିତା କରୁଥିଲେ । ଆଜି ମଧ୍ୟ ଭାରତୀୟ ଆଥଲେଟ୍ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି ।