ନୂଆଦିଲ୍ଲୀ: ଦୁଇଦିନ ପୂର୍ବେ କଂଗ୍ରେସରେ ଯୋଗ ଦେଇଥିବା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ । ହ୍ବାଟ୍ସଆପରେ ଆସିଥିବା ଏକ ମେସେଜରେ ଧମକ ଦିଆଯାଇ ଲେଖାଯାଇଛି, ‘କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ ’ । ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଏହି ମେସେଜ ପଠାଇଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ୍ କହିଛି, ଏକ ବିଦେଶୀ ନମ୍ବରରୁ ଏହି ମେସେଜ ଆସିଛି ।
ବଜରଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ପଠାଯାଇଥିବା ହ୍ୱାଟ୍ସଆପ ମେସେଜରେ କଂଗ୍ରେସ ଛାଡ଼ିବାକୁ କୁହାଯାଇଛି । ଯଦି ସେ ଏହା ସ୍ପଷ୍ଟ ନ କରନ୍ତି, ତା’ହେଲେ ସେ ଓ ତାଙ୍କ ପରିବାର ଅସୁବିଧାରେ ପଡ଼ିବେ । ମେସେଜରେ ଦୁର୍ବୃତ୍ତ ଲେଖିଛନ୍ତି, ଏହା ଆମର ଶେଷ ବାର୍ତ୍ତା । ନିର୍ବାଚନ ପୂର୍ବରୁ ଆମେ ଦେଖାଇଦେବୁ ଯେ ଆମେ କେତେ ଶକ୍ତିଶାଳୀ । ତୁମେ ଯେଉଁଠି ଚାହିଁ ଅଭିଯୋଗ କରିପାର, ହେଲେ ଏହା ହେଉଛି ଆମର ପ୍ରଥମ ଓ ଅନ୍ତିମ ଚେତାବନୀ ।
ଦୁଇ ଦିନ ତଳେ ବଜରଙ୍ଗ ଏବଂ ଭିନେଶ ଫୋଗାଟ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ଭିନେଶ ଫୋଗାଟଙ୍କୁ ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ପ୍ରାର୍ଥୀ କରାଯାଇଛି । ସେହିପରି ଦଳ ବଜରଙ୍ଗଙ୍କୁ ସର୍ବଭାରତୀୟ କୃଷକ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି ।