ମୁଜଫରନଗର: କୋଚିଂ କ୍ଲାସ୍ ପାଠପଢ଼ାରେ ବୃସ୍ତ ଥିଲେ ପିଲା । ଏହି ସମୟରେ ହଠାତ୍ ଜଣେ ଛାତ୍ର କ୍ଲାସ୍ରେ ପହଞ୍ଚି ଜଣେ ଛାତ୍ରୀଙ୍କୁ ଟାର୍ଗେଟ କରି ମାରିଲେ ଗୁଳି । ଏଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ବିହାରର ମୁଜଫରନଗରରେ । ଏକ କୋଚିଂ ସେଣ୍ଟରରେ ଘଟିଛି ଏପରି ଏକ ନାରକୀୟ କାଣ୍ଡ । ସେଣ୍ଟରରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍ ଚାଲିଥିବା ବେଳେ ସେଠାରେ ଜଣେ ଛାତ୍ର ପହଞ୍ଚିଥିଲେ । ଛାତ୍ର ଜଣକ ବନ୍ଧୁକ ଧରିଥିବା ବେଳେ ହଠାତ୍ ଫାୟାରିଂ କରିଥିଲେ ।
ଅନ୍ୟମାନେ ଗୁଳି ଶବ୍ଦ ଶୁଣି ପଛକୁ ବୁଲି ଅନାଇଲା ବେଳକୁ ଜଣେ ଛାତ୍ରୀ ଲହୁଲୁହାଣ ହୋଇ ତଳେ ପଡ଼ିଛନ୍ତି । ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗୁଳି ଚଳାଇ ଅଭିଯୁକ୍ତ ଛାତ୍ର ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ତୁରନ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ଖବର ପାଇ ପୋଲିସ୍ ପହଞ୍ଚି ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନି ।