ୟୁପି: ଉତ୍ତରପ୍ରଦେଶ ବାହରାଇଚ୍ରେ ଥମୁନି ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗତକାଲି ସୁଦ୍ଧା ୫ଟି ଗଧିଆ ଧରା ପଡ଼ିସାରିଛନ୍ତି । ହେଲେ ଏବେ ବି ଏମାନଙ୍କ ଗ୍ରୁପର ଆକ୍ରମଣ ଜାରି ରହିଛି । ଗତରାତିରେ ପୁଣି ଥରେ ଗଧିଆ ଆକ୍ରମଣରେ ଜଣେ ୧୧ ବର୍ଷୀୟା ନାବାଳିକା ଗୁରୁତର ହୋଇଛି ।
ନାବାଳିକା ଜଣକ ଘରେ ଶୋଇଥିବା ବେଳେ ଗଧିଆ ତାକୁ ଘରୁ ଟାଣି ନେଇଥିଲା । ଗଧିଆ ଆକ୍ରମଣରେ ନାବାଳିକା ଜଣକ ଲହୁଲୁହାଣ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ନାବାଳିକାର ଅବସ୍ଥା ସଙ୍କଟାପନ୍ନ ରହିଛି ।
ବାହରାଇଚ୍ରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଗତକାଲି ସୁଦ୍ଧା ୫ଟି ଗଧିଆକୁ କାବୁ କରି ସାରିଛି ବନ ବିଭାଗ । ଏବେ ବି ଆଉ ଏକ ମଣିଷ ଖିଆ ଗଧିଆ ବାହାରେ ବୁଲୁଥିବା ଜଣାଯାଇଛି । ତେବେ ଅନ୍ୟ ଗଧିଆମାନେ ଧରା ପଡ଼ି ସାରିଥିବା ବେଳେ ବାହାରେ ବୁଲୁଥିବା ଗଧିଆଟି ଅଧିକ ଆକ୍ରାତ୍ମକ ହୋଇଥିବା ଅନୁମାନ କରାଯାଉଛି ।
ଗଧିଆ ଆକ୍ରମଣରେ ଏଯାବତ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ‘ଅପରେସନ ଗଧିଆ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶେଷ ଗଧିଆକୁ ବି ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।