ବନ୍ଧୁକ ମୁନରେ ଦୁଇ ଆର୍ମି ଅଫିସରଙ୍କୁ ଲୁଟ୍ ପରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ !


ଇନ୍ଦୋର: ବନ୍ଧୁକ ଦେଖାଇ ଦୁଇ ସେନା ଅଧିକାରୀଙ୍କଠାରୁ ଲୁଟ କଲେ । ଏହାପରେ ସେମାନଙ୍କ ବାନ୍ଧବୀଙ୍କୁ କଲେ ଗଣଦୁଷ୍କର୍ମ । ଏପରି ଏକ ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଇନ୍ଦୋରରୁ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯିବା ପରେ ଫେରାର ହେଉଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଇନ୍ଦୋର ନିକଟସ୍ଥ ମହୋ ଆର୍ମି କଲେଜରେ ଟ୍ରେନିଂ ନେଉଥିବା ଦୁଇ ଅଧିକାରୀ ଦୁଇ ଜଣ ବାନ୍ଧବୀଙ୍କ ସହ ଛୋଟି ଜାମକୁ ପିକିନିକ କରିବାକୁ ଯାଇଥିଲେ । ଏହି ସମୟରେ ଆଠ ଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ସହ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ ।  

ଏପରିକି ସେମାନଙ୍କୁ ମାଡ଼ ମାରି ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେବାକୁ ବାଧ୍ୟ କରିଥିଲେ । ଜଣେ ଯୁବକ ଏବଂ ଯୁବତୀ ୧୦ ଲକ୍ଷ ଟଙ୍କା ଦେବାରୁ ସେମାନଙ୍କୁ ଛାଡ଼ି ଦେଇଥିଲେ ।

ଉଭୟ ତୁରନ୍ତ ୟୁନିଟକୁ ଫେରି କମାଣ୍ଡିଂ ଅଫିରସଙ୍କୁ ଜଣାଇଥିଲେ । ଏହାସହ ପୋଲିସକୁ ବି ସୂଚନା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଆକ୍ସନକୁ ଆସି ଯାଇଥିଲା । ଅଭିଯୋଗକାରୀଙ୍କ କହିବା ଅନୁସାରେ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ଅନ୍ୟ ଜଣେ ଯୁବକ ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି ।

ସେପଟେ ପୋଲିସ ଗାଡ଼ି ଦେଖି ଅଭିଯୁକ୍ତମାନେ ଫେରାର୍ ହୋଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଜଣାପଡିଛି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି ।