Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ବିସର୍ଜନ ବେଳେ ସାମ୍ପ୍ରଦାୟକ ହିଂସା, ୫୨ ଅଟକ

ନଗମଙ୍ଗଳା: କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟଣାରେ ୫୨ ଜଣଙ୍କୁ ଅଟକ ରଖିଛି ପୋଲିସ । ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳାକୁ ନେଇ ପୋଲିସ ଆଜି ୫୨ ଜଣଙ୍କୁ ଅଟକ ରଖିଛି । ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ମାଣ୍ଡୟାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ, ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳ ମାଣ୍ଡୟାରେ ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ବାହାରିଥିଲା । ମୈସୁର ରୋଡରେ ଶୋଭାଯାତ୍ରା ଯିବା ସମୟରେ କିଛି ଲୋକ ପଥର ମାଡ଼ କରିଥିଲେ । ଏପରିକି ସେମାନେ ମଧ୍ୟ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ ।

ଫଳରେ ଶୋଭାଯାତ୍ରାରେ ଯାଉଥିବା ଲୋକେ ଅନ୍ୟ ଗୋଷ୍ଠୀ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ସହ ପଥର ମାଡ଼ ହୋଇଥିଲା । ଏପରିକି ଉତ୍ତ୍ୟକ୍ତ ଲୋକେ କିଛି ଦୋକାନରେ ନିଆଁ ଲଗାଇ ଦେବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଉତ୍ତ୍ୟକ୍ତ ଲୋକେ କିଛି ଶୁଣିବାକୁ ନାରାଜ ଥିଲେ । ଏପରିକି ସେମାନେ ପୋଲିସକୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ । ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଆଜି ଏହି ଘଟଣାରେ ପୋଲିସ ୫୨ ଜଣ ଲୋକଙ୍କୁ ଅଟକ ରଖିଛି । ସେପଟେ ଅଟକ ଥିବା ଲୋକଙ୍କ ସମ୍ପର୍କୀୟ ଥାନା ଘେରାଉ କରିଛନ୍ତି । ସେମାନେ କିଛି ଭୁଲ୍ କରିନାହାନ୍ତି, ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ