ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀରେ SPG ଟିମ୍


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ SPG ଟିମ୍ । ତନ ତନ କରି ସୁରକ୍ଷା ବ୍ୟବସ୍ଥାର କରୁଛନ୍ତି ଯାଞ୍ଚ । କାରଣ ଆସନ୍ତା ୧୭ ତାରିଖ ଦିନି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହିଦିନ ମୋଦି ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ଏହା ଖୁବ ଖାସ ହୋଇଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାାଞ୍ଚ କରିବାକୁ ଗତକାଲିଠାରୁ ୮ ଜଣିଆ SPG ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍ । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି । ଆଜି SPG ଟିମ୍ ଭେନ୍ୟୁ ସ୍ଥଳ ଜନତା ମଇଦାନ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଗତକାଲି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଜିପି ଓ ଆଇଜିପିଙ୍କୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜନ ଗହଳିକୁ ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବ । ‌ଏହାସହ ଭିଡ ନିୟନ୍ତ୍ରଣ ପାଇଁ ୫୦ ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୭ ତାରିଖରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ।