ଯବାନ-ଆତଙ୍କବାଦୀ ଗୁଳି ବିନିମୟ: ଦୁଇ ଯବାନ ଶହୀଦ, ତିନି ଆତଙ୍କବାଦୀ ମୃତ


ଜମ୍ମୁ ଓ କାଶ୍ମୀର: ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୩ ଜଣ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି ।

ଉତ୍ତର କଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଏବଂ ଭାରତୀୟ ସେନା ମିଳିତ ଅପରେସନ ଆରମ୍ଭ କରିଥିଲେ । ତଲାସୀ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ମାଡ଼ କରିଥିଲେ ।

ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା । ଏଥିରେ ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି । ସେହିପରି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶହୀଦ ହୋଇଥିବା କୁହାଯାଉଛି । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ରାତିରେ ଏହି ଅପରେସନ ହୋଇଥିଲା । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟପଟେ ଗତକାଲି ମଧ୍ୟ କଠୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ସେନାର ରାଇଜିଂ ଷ୍ଟାର କର୍ପସ ୟୁନିଟର ସୈନ୍ୟମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ । କିଛି ଦିନ ହେବ ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ହମଲା ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।