ଭୁବନେଶ୍ବର: ରାଜଧାନୀରେ ପହଞ୍ଚିବା ପରେ ସିଧାସଳଖ ଗାଡ଼କଣ ଗାଁକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ । ନିଜ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷୀରି ଖାଇଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୦ଟା ୫୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ସେଠାରୁ ସେ ସିଧାସଳଖ ଗାଡ଼କଣ ଅଭିମୁଖେ ଯାଇଥିଲେ । ମୋଦି ଆସିବାକୁ ଥିବାରୁ ଲୋକେ ଘରକୁ ସଜାଇଥିବା ବେଳେ ଘର ଦୁଆର ମୁହଁରେ କଳସ ବସାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଗାଡ଼କଣରେ ବହୁ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଖୋଦ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ସ୍ଥିତି ଅନୁଧ୍ୟାନ କରିଥିଲେ ।
ମୋଦିଙ୍କୁ ସ୍ୱାଗତ କରିବାକୁ ଗାଡ଼କଣବାସୀ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ସେଠାରେ ପହଞ୍ଚିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ହିତାଧିକାରୀ, ୮ ଜଣ ଏସଏଚଜି ମହିଳା ଏବଂ ୨ ଜଣ ପିଏମ ସସ୍ୱନିଧି ଯୋଜନାର ହିତାଧିକାରୀଙ୍କ ଥିବା ଜଣାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଗାଡ଼କଣରେ ଉପସ୍ଥିତ ଥିଲେ । ମୋଦି ହିତାଧିକାରୀମାନଙ୍କ ସହ ଅଧ ଘଣ୍ଟା କାଳ ଆଲୋଚନା କରିଥିଲେ ।
ଏହି ଅବସରରେ ସେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇଥିବା କ୍ଷୀରି ଖାଇଛନ୍ତି । ମୋଦି କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଛୋଟ ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ । ସେଠାରେ ସେ ପୂଜାର୍ଚ୍ଚନା ବି କରିଥିଲେ । ଏହାପରେ ମୋଦି ଜନତା ମଇଦାନ ଅଭିମୁଖେ ବାହାରି ଯାଇଥିଲେ । ସେଠାରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।