‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ଭୁବନେଶ୍ବର: ବହୁ ପ୍ରତିକ୍ଷିତ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ । ଜନତା ମଇଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ଓଡ଼ିଶାର ମହିଳାଙ୍କୁ ଦେଲେ ସୁଭଦ୍ରା ଉପହାର । ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ବି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ବି ଉପସ୍ଥିତ ଥିଲେ ।

‘ସୁଭଦ୍ରା’ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତବ୍ୟ ରଖି କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । କାରଣ ଆମେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ଏହା ଏକ ଯୁଗାନ୍ତକାରୀ ଯୋଜନା । ଏହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ, ବ୍ୟବସାୟ ପାଇଁ, ପରିବାର ପାଇଁ ତଥା ନିଜ ପିଲାଙ୍କ ପାଇଁ ଖର୍ଚ୍ଚ କରିପାରିବେ । ଏହାଦ୍ୱାରା ରାଜ୍ୟର କୋଟିଏରୁ ଅଧିକ ମହିଳା ଉପକୃତ ହେବେ ।

ଯେଉଁମାନଙ୍କ ମଧ୍ୟରେ ଆଗକୁ ବଢ଼ିବାକୁ ଇଚ୍ଛା ଅଛି ହେଲେ ହାତରେ ପୁଞ୍ଜି ନାହିଁ, ଏହି ଯୋଜନା ସେମାନଙ୍କ ଇଚ୍ଛା ପୂରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ଯିବ । ୫ ବର୍ଷ ଯାଏଁ ମହିଳାମାନେ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ପାଇପାରିବେ । ୨୦୨୧ ସୁଦ୍ଧା ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ଏହି ଯୋଜନା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ନିଜ ଗସ୍ତ କାଳ ଅବସରରେ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଛନ୍ତି ମୋଦି । ଏହାସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି । ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ ଶହ କୋଟିର ରେଳ ପ୍ରକଳ୍ପ, ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ୧ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।