ଜେଡିୟୁରେ ଚରମରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ, ରାସ୍ତା ଉପରେ ମହିଳା ନେତ୍ରୀଙ୍କୁ ପିଟିଲେ ନିଜ ଦଳର କର୍ମୀ


ପାଟନା: ଗୋଷ୍ଠୀ କନ୍ଦଳର ଦଲ ଦଲରେ ଫସିଛି ବିହାରରେ କ୍ଷମତାସୀନ ଜେଡିୟୁ । ମାନମତାନ୍ତର ଚରମ ସୀମାରେ । ସ୍ଥିତି ଏମିତି ଯେ, ନିଜ ଦଳର ମହିଳା ନେତ୍ରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିବା ସହ କର୍ମୀ ପିନ୍ଧାଇଛନ୍ତି ଚପଲ ମାଳ । ବିହାରର ସୀତାମଡ଼ି ଜିଲ୍ଲାର ବୈରଗନିୟା ଅଞ୍ଚଳରେ ଏହି ଘଟଣା ଘଟିଛି ।

ସର୍ବସମ୍ମୁଖରେ ଅସହ୍ୟ ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣକ ହେଲେ ଜେଡିୟୁର ମହିଳା ସେଲ୍‌ର ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲ । ଗୁରୁତର ଅବସ୍ଥାରେ ତାଙ୍କୁ ମୁଜଫରନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବୈରଗନିୟା ଅଞ୍ଚଳରେ ଗତ ବୁଧବାର ଜେଡିୟୁର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମହିଳା ସେଲ୍‌ ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲଙ୍କୁ ଆମନ୍ତ୍ରୀତ କରାଯାଇ ନ ଥିଲା । ଏହାକୁ ନେଇ ସନ୍ଧ୍ୟାରେ ଫେସ୍‌ବୁକ୍‌ରେ ବିବାଦ ଆରମ୍ଭ ହୋଇଗଲା ।

ଗୁରୁବାର ସକାଳେ ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲ ନିଜର କିଛି ସହଯୋଗୀଙ୍କ ସହ ଦଳର ୱାର୍ଡ କାଉନସିଲର ସଞ୍ଜୟ ପଟେଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିଥିଲେ । ଘଟଣା ଉଗ୍ର ରୂପ ଧାରଣ କରିବାରୁ କାମିନୀ ପଟେଲଙ୍କୁ ଉପସ୍ଥିତ ଲୋକ ଘେରି ପିଟିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଚପଲ ମାଳ ପିନ୍ଧାଇ ବଜାରରେ ବୁଲାଇଥିଲେ ।

କିଛି ଲୋକ ସେଠାରୁ କାମିନୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁଜଫରନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଛି ।

ମାଡ଼ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ୍‌ ଡିଏସ୍‌ପି ।