ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠିତ; ଓଡ଼ିଶାର ଏକାଧିକ ସାଂସଦ ହେଲେ ସଦସ୍ୟ


ନୂଆଦିଲ୍ଲୀ: ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠିତ । ବିଭିନ୍ନ ବିଭାଗ ପାଇଁ ଉଭୟ ସଦନର ସଦସ୍ୟଙ୍କୁ ନେଇ କମିଟି ଗଠନ ହୋଇଛି । ଏହି କମିଟିରେ ଓଡ଼ିଶାର ବହୁ ସାଂସଦଙ୍କୁ ସ୍ଥାନ ମିଳିଛି । ୩୧ ଜଣିଆ ବାଣିଜ୍ୟ କମିଟିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ସେହିପରି ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି । ଅର୍ଥ କମିଟିରେ ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତ କରାଯାଇଛି । ଶିକ୍ଷା, ମହିଳା ଓ ଶିଶୁ ବିଭାଗ କମିଟିରେ ସାଂସଦ ସମ୍ବିତ ପାତ୍ର ନିଯୁକ୍ତ ହୋଇଛନ୍ତି । ସେହିପରି ରେଲୱେ କମିଟିରେ ସାଂସଦ ସୁବାଶିଷ ଖୁଣ୍ଟିଆ, ବଳଭଦ୍ର ମାଝୀ ଓ ସଙ୍ଗୀତା ସିଂଦେଓ ସ୍ଥାନ ପାଇଛନ୍ତି ।

ଶିଳ୍ପ କମିଟିରେ ବିଭୁ ତରାଇଙ୍କ ନାଁ ରହିଛି । ସେହିପରି ସାଂସଦ ଅଭିମନ୍ୟୁ ସେଠୀ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କମିଟିରେ ସାମିଲ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ କମିଟି ଅଧ୍ୟକ୍ଷ ଭାବେ ସପ୍ତଗିରି ଉଲ୍ଲାକା ନିଯୁକ୍ତ ହୋଇଛନ୍ତି । ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ମାଳବିକା ଦେବୀଙ୍କ ନାଁ ରହିଛି ।

କୋଇଲା, ଖଣି, ଇସ୍ପାତ କମିଟିରେ ଅନନ୍ତ ନାଏକ ଏବଂ ଶ୍ରମ, ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ ସାମିଲ ହୋଇଛନ୍ତି । ସେହିପରି ବୈଦେଶିକ ବ୍ୟାପାର ବିଭାଗ କମିଟିରେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି । ପଞ୍ଚାୟତିରାଜ ବିଭାଗ କମିଟିରେ ନବ ଚରଣ ମାଝୀ ଓ ଜଳ ସଂପଦ ବିଭାଗ କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଦସ୍ୟ ଅଛନ୍ତି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ନାୟକ ଓ ଶ୍ରମ, ଦକ୍ଷତା ବିକାଶ କମିଟିରେ ରୁଦ୍ର ନାରାୟଣ ପାଣି ସାମିଲ ହୋଇଛନ୍ତି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ରହିଛି । ବାଣିଜ୍ୟ କମିଟିରେ ସାଂସଦ ଅନିତା ଶୁଭଦର୍ଶିନୀ ସଦସ୍ୟ ଅଛନ୍ତି । ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।

ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ର ଓ ପ୍ରତିରକ୍ଷା ବିଭାଗ କମିଟିରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସାମିଲ ହୋଇଛନ୍ତି । ଶିଳ୍ପ କମିଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ନାଁ ରହିଛି । ସେହିପରି ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ରହିଛି ।