ସାଙ୍ଗକୁ ଛାତ୍ର ଦେଲେ ହତ୍ୟା ଧମକ, ଭୟରେ ଛାତରୁ ଡେଇଁ ଛାତ୍ର ଗୁରୁତର


କଳାହାଣ୍ଡି: ସାମାନ୍ୟ କଥାକୁ ନେଇ ରାତି ଅଧରେ ଛାତ ଉପରକୁ ନେଇ ସାଙ୍ଗକୁ ଛୁରୀ ଭୁଷି ଦେବାର ଧମକ ଦେଲେ ଛାତ୍ର । ଏଥିରେ ଭୟଭୀତ ହୋଇ ଯୁକ୍ତଦୁଇ ଛାତ୍ର ଜଣକ ଛାତରୁ ତଳକୁ ଡେଇଁ ପଡ଼ିଲେ । ଏପରି ଏକ ଅମାନବୀୟ ଘଟଣା ଗତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଗୁରୁତର ଛାତ୍ରଙ୍କ ଅଭିଭାବକ ଗତ ରାତିରେ ଥାନାରେ କରିଥିବା ଅଭିଯୋଗ ଅନୁଯାଯୀ, ସେମାନଙ୍କ ପୁଅ ଉକ୍ତ ଘରୋଇ କଲେଜରେ ଯୁକ୍ତଦୁଇ ପଢ଼ିବା ସହ ହଷ୍ଟେଲରେ ରହୁଥିଲେ । କିଛିଦିନ ପୂର୍ବେ ଉକ୍ତ ଛାତ୍ରଙ୍କ ୯ ସହପାଠୀ କୌଣସି କାରଣରୁ ତାଙ୍କୁ ନିର୍ଧୁମ ପିଟିଥିଲେ । ଏହାର ଭିଡିଓ ପୀଡ଼ିତ ଛାତ୍ରଙ୍କ ନିକଟରେ ଥିଲା । ଉକ୍ତ ଭିଡିଓକୁ ଡିଲିଟ କରିବାକୁ ସେମାନେ ଧମକ ଦେଉଥିବା ବେଳେ ପୀଡ଼ିତ ଛାତ୍ର ଜଣକ ଶୁଣୁ ନଥିଲେ ।

ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଗତ ରାତିରେ ୯ ଅଭିଯୁକ୍ତ ଛାତ୍ର ଉକ୍ତ ଛାତ୍ରଙ୍କୁ ହଷ୍ଟେଲ ଛାତ ଉପରକୁ ନେଇଥିଲେ । ସେଠାରେ ସେମାନେ ତାଙ୍କୁ ପ୍ରବଳ ମାରପିଟ କରିଥିଲେ । ଏହାପରେ ଭିଡିଓ ଡିଲିଟ ନ କଲେ ଛୁରୀ ଭୁଷି ଦେବାର ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ଛାତ୍ର ଜଣକ ଛାତରୁ ଡେଇଁ ପଡ଼ିଥିଲେ । ଶବ୍ଦ ଶୁଣି ହଷ୍ଟେଲ କର୍ତ୍ତୃପକ୍ଷ ଓ ଅନ୍ୟ ପିଲାମାନେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ଏନେଇ ପୀଡ଼ିତ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗ ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି ।