ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ଦେବଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା । ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ଆସନ୍ତାକାଲି ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ କରିବେ ।
ସମସ୍ତ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା । ଜନଜାତି ବର୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସଶକ୍ତିକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୁଆ ସୂର୍ଯ୍ୟୋଦୟ ଆଣିବା ଏହି ଯୋଜନାର ଲକ୍ଷ୍ୟ । ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।