ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’, ଆସିବ ପୁଞ୍ଜି


ନୂଆଦିଲ୍ଲୀ: ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ସହ ଆଗାମୀ ଦିନରେ ବିଦେଶୀ ପୁଞ୍ଜି ନିବେଶ ବଢ଼ାଇବା ଲକ୍ଷ୍ୟ ନେଇ ଗତକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବେ । ଏହି ଅବସରରେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ହେବ ପ୍ରଥମ ରୋଡ୍ ଶୋ’ ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ବିଦେଶୀ ନିବେଶକଙ୍କୁ ଆସନ୍ତା ଜାନୁଆରୀରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ ସମ୍ମିଳନୀକୁ ନିମନ୍ତ୍ରଣ କରିବେ । ଏହି ନିବେଶକ ସମ୍ମିଳନୀରେ ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ ।

ଗତକାଲି ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା ମଧ୍ୟରେ କିଛି ଉଦ୍ୟୋଗୀଙ୍କ ଆଲୋଚନା ସରିଛି । ଗତ ଶହେ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସି ସାରିଛି । ୨୦୨୫ ଜାନୁଆରୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ । ଏହା ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଚାଲିବ ।

ଏବେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ବୋଲି କହିଛନ୍ତି । ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି ।

ବିଶେଷକରି ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ପ୍ରାଥମିକତା ଦିଆଯିବ । ଏଦିଗରେ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ । ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଅବଗତ କରାଇବେ ।

ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ ହୋଇଛି । ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି ।