ଛତିଶଗଡ଼: ଗତକାଲି ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ ଧରଣର ଅପରେସନ କରାଯାଇଥିଲା । ଏହି ଅପରେସନରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଛତିଶଗଡ଼ର ନାରାୟଣପୁର-ଦାନ୍ତେୱାଡ ସୀମାନ୍ତ ସୁରକ୍ଷାକର୍ମୀ ଏହି ଏନକାଉଣ୍ଟର କରିଚନ୍ତି । ଜଙ୍ଗଲ ମଧ୍ୟରୁ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଗୁରୁବାରଠାରୁ ଜଙ୍ଗଲ ମଧ୍ୟରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା । ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ନକ୍ସଲଙ୍କ ଉପସ୍ଥିତି ନେଇ ସ୍ପଷ୍ଟ ହୋଇଥିଲା । ତେବେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ସୁରକ୍ଷା କର୍ମୀ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ନିକଟରୁ ଏକେ ୪୭ ସହ ବିପୁଳ ପରିମାଣର ରାଇଫଲ ମିଳିଛି ।
ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ପ୍ରଥମେ ଗୁଇନ୍ଦା ବିଭାଗ ପକ୍ଷରୁ ସଂଖ୍ୟାଧିକ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ଓରଚା ଓ ବାରସୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଭେଲ, ନେନ୍ଦ୍ରୁ ଓ ଥୁଲଥୁଲି ଗାଁରେ ଅପରେସନ ଆରମ୍ଭ ହୋଇଥିଲା ।
ଅପରେସନ ଚାଲିଥିବା ବେଳେ ଆଜି ମଧ୍ୟାହ୍ନରେ ନେନ୍ଦ୍ରୁ-ଥୁଲୁଥୁଲି ଗାଁ ନିକଟରେ ଥିବା ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୃତଦେହ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏତେ ବଡ଼ ଏନକାଉଣ୍ଟରରେ ଜଣେ ହେଲେ ବି ସୁରକ୍ଷାକର୍ମୀ ଆହତ ହୋଇ ନାହାନ୍ତି ।