ମେହମ: ହରିୟାଣାରେ ଚାଲିଛି ବିଧାନସଭା ନିର୍ବାଚନ ପାଇଁ ଭୋଟିଂ । ୯୦ ଆସନରେ ସକାଳୁ ମତଦାନ ଚାଲିଛି । ଲୋକେ ବିଭିନ୍ନ ବୁଥରେ ଲମ୍ବା ଲାଇନ୍ ଲଗାଇ ଭୋଟ ଦେଉଚନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଜାରି ରହିଥିବା ବେଳେ କିଛି ସ୍ଥାନରୁ ସାମ୍ନାକୁ ଆସିଛି ମାରପିଟ୍ ଘଟଣା । ମେହମ୍ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବଳରାଜ ସିଂହ କୁଣ୍ଡୁ୧୩୪ ନମ୍ବର ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ତାଙ୍କୁ ମାଡ ମାରାଯିବା ସହ ଡ୍ରେସ୍ ଚିରି ଦେଇଥିବା ଅଭିଯୋଗ ହୋଇଛି ।
ହରିୟାଣା ଜନସେବା ପାର୍ଟିର ସୁପ୍ରିମୋ ତଥା ମେହମ୍ ବିଧାନସଭା ଆସନରୁ ପ୍ରାର୍ଥୀ ବଳରାଜ ସିଂହ କୁଣ୍ଡୁ ବୁଥକୁ ଯାଞ୍ଚ ପାଇଁ ଯାଇଥିଲେ । ଏହି ସମୟରେ ଆନନ୍ଦ ସିଂହ ଡାଙ୍ଗିଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଆନନ୍ଦଙ୍କ ସମର୍ଥକମାନେ ବଳରାଜ ଏବଂ ତାଙ୍କ ପିଏକୁ ଆକ୍ରମଣ କରିଥିଲେ । ଏଥିରେ ବଲରାଜଙ୍କ PAଙ୍କ କୁର୍ତ୍ତା ଚିରି ଯାଇଥିଲା । ତାଙ୍କ ଡ୍ରେସ ମଧ୍ୟ ଚିରି ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଡାଙ୍ଗି ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ତାଙ୍କ ପୁଅ ବଳରାମ ଡାଙ୍ଗୀ କଂଗ୍ରେସ ଟିକେଟରେ ମେହମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ବଳରାଜ ଅଭିଯୋଗ କରିଛନ୍ତି, ପରାଜୟର ଭୟରେ ଆନନ୍ଦ ଡାଙ୍ଗି ବିବ୍ରତ ହୋଇ ପଡିଛନ୍ତି । ସେଥିପାଇଁ ସେ ତାଙ୍କ ସମର୍ଥକଙ୍କ ସହ ମୋ ଉପରେ ଆକ୍ରମଣ କରିଛନ୍ତି । ଆଗକୁ ସେ କହିଛନ୍ତି, ଯେତେବେଳେ ମୁଁ ଯାଞ୍ଚ ପାଇଁ ମଦିନାର ବୁଥ ନମ୍ବର-୧୩୪କୁ ଯାଇଥିଲି, ସେହି ସମୟରେ ଆନନ୍ଦ ସିଂହ ଡାଙ୍ଗି, ଯିଏ କି ପ୍ରାର୍ଥୀ ମଧ୍ୟ ନୁହଁନ୍ତି, ସେ ବୁଥରେ ପ୍ରବେଶ କରି ମୋ ସହ ଝଗଡା କରିଥିଲେ । ସେପଟେ ଏନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।