ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ


ସମ୍ବଲପୁର: ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୩ ଛାତ୍ର ଆହତ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

ଗତକାଲି ବୁର୍ଲା ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା । ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । କ୍ରମେ ଏହା ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିଲେ ।

ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଆଇଆଇସି ଓ ଏସଡିପିଓ ଛାତ୍ରଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଘଟଣାକୁ ନେଇ ହାଉସ ସର୍ଜନମାନେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୂର୍ବ ତିକ୍ତତାକୁ ନେଇ PG ଛାତ୍ରମାନେ ଆକ୍ରମଣ କରିଥିବା ନେଇ ଆହତ ହୋଇଥିବା ପୂର୍ବତନ UG ଛାତ୍ର ସଂଘ ସଭାପତି କହିଛନ୍ତି । ତେବେ ଏ ନେଇ ପିଜି ଛାତ୍ର ସଂଘ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ କହିଛନ୍ତି, UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିଲା । କୌସି କଥାକୁ ନେଇ ପିଲାମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଆମେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲୁ ।