ଜମ୍ମୁ-କାଶ୍ମୀର: ଚାଲିଛି ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି । ସମୟ ଗଢ଼ିବା ସହ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେଉଥିବା ବେଳେ ବିଜେପିକୁ ଲାଗିଛି ଶକ୍ତ ଝଟକା । ବର୍ତ୍ତମାନ ସୁଦ୍ଧା ଆସିଥିବା ମତାମତ ଅନୁସାରେ କଂଗ୍ରେସ- ନ୍ୟାସନାଲ କନଫରେନ୍ସ ମେଣ୍ଟ ୫୧ ଆସନରେ ଆଗରେ ଥିବା ବେଳେ ବିଜେପି ୨୯, ପିଡିପି ଦୁଇ ଓ ଅନ୍ୟ ୮ ଆସନରେ ଆଗୁଆ ଚାଲିଛନ୍ତି । ବହୁମତ ପାଇଁ ୪୬ ଆସନ ଦରକାର ଥିବା ବେଳେ ଏନସି ମେଣ୍ଟ ଏହାଠାରୁ ଆଗରେ ଚାଲିଛି । ଅପରାହ୍ଣ ସୁଦ୍ଧା କିଏ ସରକାର ଗଢ଼ିବ ଚିତ୍ର ସ୍ପଷ୍ଟ ହୋଇଯିବ ।
ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୧୦୧ ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧ ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ଜମ୍ମୁ-କାଶ୍ମୀରରୁ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ । ଯଦିଓ ଏହା କେନ୍ଦ୍ର ଶାସିତ ଅଞ୍ଚଳ ହୋଇରହିଛି ତଥାପି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ‘ନୂଆ କାଶ୍ମୀର’ରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ପ୍ରମୁଖ ଦଳମାନେ ଆଶାବାଦୀ ଅଛନ୍ତି । ବିକାଶ ଓ ଆତଙ୍କବାଦ ଦମନକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ଜନମତ ପାଇବାକୁ ଆଶା ରଖିଥିଲା ।