ନୂଆଦିଲ୍ଲୀ: ଦୁଇବର୍ଷ ଅଟକ ରହିବା ପରେ ଦୁବାଇରେ ଗିରଫ ହୋଇଛି ମହାଦେବ ବେଟିଂ ଆପ୍ ମାଲିକ ସୌରଭ ଚନ୍ଦ୍ରାକର । ତାଙ୍କୁ ଗିରଫ କରିଛି ଇଣ୍ଟରପୋଲ । ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ପରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ୨୦୨୩ ମସିହାରୁ ଅଟକ ରଖାଯାଇଥିଲା । ମାତ୍ର ଏବେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଏବେ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସପ୍ତାହେ ଭିତରେ ଇଡି ସୌରଭଙ୍କୁ ଭାରତ ଆଣିପାରେ ବୋଲି କୁହାଯାଉଛି ।
ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖିଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି । ବିଦେଶ ମନ୍ତ୍ରାଳୟ ଓ ଗୃୟ ମନ୍ତ୍ରାଳୟ ସହ ମିଶି ଇଡି ଏହି ଅପରେସନ ଚଳାଇଥିଲେ ।
ଗତକାଲି ୟୁଏଇ ଅଧିକାରୀ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍ କରି ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ । ଏହାପରେ ତାଙ୍କୁ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।
ମହାଦେବ ବେଟିଂ ଆପ୍ର ମାଷ୍ଟର ମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କର D କମ୍ପାନୀ ସହ ଲିଙ୍କ ଥିବା ଜଣାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରହିଛି ।
ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୦୨୩ ମସିହାରେ ମହାଦେବ ବୁକ୍ ବେଟିଂ ଆପ୍କୁ ବ୍ୟାନ୍ କରି ଦିଆଯାଇଥିଲା । ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି ୨୨ଟି ଆପକୁ ବି ବ୍ୟାନ କରାଯାଇଥିଲା ।
ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଇଡି ।
ଏହି ମାମଲାରେ ସୌରଭ ଚନ୍ଦ୍ରାକର ତାଙ୍କ ସହଯୋଗୀ, ରବି ଉପ୍ପଲ ଓ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଉପରେ ମାମଲା ରୁଜୁ ହୋଇଥିଲା । ଏହି ଆପ୍ ଜରିଆରେ ସେମାନେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ବେଳେ ପରେ ଏଥିନିମନ୍ତେ ଏକ SIT ଗଠନ କରାଯାଇଥିଲା । ମହାଦେବ ବେଟିଂ ଆପ୍କୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଏହାର ମାଲିକ ସୌରଭ ଚନ୍ଦ୍ରାକର ଦୁବାଇରେ ଥିବା ଜଣାପଡ଼ିଥିଲା । ସେଠାରୁ ସେ ନିଜ ବିଜନେସକୁ ଅପରେଟ୍ କରୁଥିଲେ । ଏନେଇ ଭାରତରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଫଳରେ ତାଙ୍କୁ କାବୁ କରିବାକୁ ଇଡି ଇଣ୍ଟରପୋଲର ସହାୟତା ମାଗିବାରୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ୍ ଜାରି କରିଥିଲା ଓ ଏବେ ତାଙ୍କୁ ବନ୍ଧା ଯାଇଛି ।