ନାଗୌର: ଅତିଷ୍ଠ କରିଦେଲା ପୁଅବୋହୂ ନିର୍ଯାତନା । ଏପରିକି ସ୍ତ୍ରୀ ସହ ମିଶି ଜନ୍ମକଲା ବାପାମାଆଙ୍କୁ ହତ୍ୟା କରିବାକୁ ଧମକ ଦେବାକୁ ପଛାଇଲାନି ପୁଅ । ନିର୍ଯାତନା ଅସହ୍ୟ ହେବାରୁ ବୃଦ୍ଧ ଦମ୍ପତି ଘର ଉପରେ ଥିବା ପାଣି ଟାଙ୍କିକୁ ଡେଇଁ ଜୀବନ ହାରିଛନ୍ତି । କିନ୍ତୁ ଏହା ପୂର୍ବରୁ ସେମାନେ ଭୋଗିଥିବା ନିର୍ଯାତନାର କାହାଣୀ ସୁଇସାଇଡ ନୋଟରେ ଉଲ୍ଲେକ କରି ତାହାକୁ କାନ୍ଥରେ ମାରି ଦେଇ ଯାଇଛନ୍ତି ।
ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରେ ଘଟିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ ହଜାରିରାମ ଓ ତାଙ୍କ ୬୮ ବର୍ଷୀୟ ପତ୍ନୀ ଚାୱଲି ଦେବୀ ।
ହଜାରିରାମ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି, ମୋ’ ନାଁରେ ୩ଟି ପ୍ଲଟ ଓ ଗାଡ଼ି ଥିବା ବେଳେ ପୁଅମାନେ ସେ ସବୁ ନିଜ ନାମରେ କରାଇ ନେଇଥିଲେ । ଏହାପରେ ଦୁଇ ପୁଅ ଓ ବୋହୂ ଆମକୁ ନିର୍ଯାତନା ଦେବା ଆରମ୍ଭ କଲେ । ଏପରିକି ଆମକୁ ଖାଇବାକୁ ଦେଉ ନଥିବା ବେଳେ ପ୍ରବଳ ପିଟୁଥିଲେ । ଏତିକିରେ ମନ ଶାନ୍ତି ନ ହେବାରୁ ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ । ଆମେ ଏଥିରେ ଭୟଭୀତ ହୋଇ ଯାଇଥିଲୁ । ତେଣୁ ସେମାନେ ଏପରି କିଛି କରିବା ପୂର୍ବରୁ ଆମେ ପାଣି ଟାଙ୍କିକୁ ଡେଇଁବାକୁ ସ୍ଥିର କରିଛୁ ।
ଖବର ପାଇ ପୋଲିସ୍ ପହଞ୍ଚି ଘରର ପାଣି ଟାଙ୍କିରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ୍ କାହାକୁ ଗିରଫ କରି ନଥିବା ଜଣାଯାଇଛି । ତେବେ ପୁଅବୋହୂଙ୍କ ଏପରି ନିର୍ଯାତନାର କାହାଣୀ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।