ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର


ସମ୍ବଲପୁର: ମହାନଦୀରେ ବୁଡ଼ିଯାଇ ଗତକାଲିଠାରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଉଭୟ ୯ମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ ।

ଗତକାଲି ୨ ଛାତ୍ର ସଡ଼କ ଘାଟରେ ଗାଧୋଉଥିଲେ । ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ଉଭୟ ପାଣିରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଛାତ୍ର ୨ ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ବହୁତ ଖୋଜାଖୋଜି କରିଥିଲେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳି ନଥିଲା ।

ଆଜି ସକାଳେ ଅଗ୍ନିଶମ ବାହିନୀ ସହ ଝାରସୁଗୁଡ଼ାରୁ ଆସିଥିବା ଓଡ୍ରାଫ୍ଟ ଟିମ ପହଞ୍ଚି ୨ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ । ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।