ଧାରା ୩୭୦ ଉଚ୍ଚେଦ ପରେ ଆଜି ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା


ଜମ୍ମୁ ଓ କାଶ୍ମୀର: ୩୭୦ ଧାରା ଉଚ୍ଛେଦ ଓ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପରଠାରୁ ଆଜି ଜମ୍ମୁ-କଶ୍ମୀର ପାଇବାକୁ ଯାଉଛି ତା’ର ପ୍ରଥମ ମୁଖ୍ୟମନ୍ତ୍ରୀ । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା । କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶପଥ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କିନ୍ତୁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମିଳିତ ଭାବେ ସରକାର ଗଠନ କରୁଥିଲେ ମଧ୍ୟ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ରହିବ ନାହିଁ । ଦଳକୁ ଗୋଟିଏ ମନ୍ତ୍ରୀ ପଦ ଅଫର୍ କରାଯାଇ ଥିଲେ ମଧ୍ୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । 

ପ୍ରକାଶ ଥାଉକି, ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ପ୍ରଥମ କରି ବିଧାନସଭା ନିର୍ବାଚନ କରାଯାଇଛି । ସେପ୍ଟେମ୍ବରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ପରେ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମିଳିତ ଭାବେ ୪୯ଟି ଆସନରେ ବିଜୟୀ ହୋଇଥିଲେ । 

ଏହାପରେ ମେଣ୍ଟ ଦଳର ନିଷ୍ପତ୍ତି କ୍ରମେ ଓମାର ଅବଦୁଲା ମିଳିତ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିଲେ । ସେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଉତ୍ସବକୁ କଂଗ୍ରେସ ବ୍ୟତୀତ ଇଣ୍ଡିଆ ବ୍ଲକର ସଦସ୍ୟ ଦଳର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ତାଲିକାରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଅଛନ୍ତି । ସେହିପରି ଆଗାମୀ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ସହଯୋଗୀ ଉଦ୍ଧବ ଠାକରେ ଏବଂ ଶରଦ ପାୱାର ମଧ୍ୟ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।