କୋଲକାତା: ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଓଡ଼ିଶା ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଉଥିବା ବେଳେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇଛନ୍ତି । ବାତ୍ୟା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇ ତୁରନ୍ତ ଦୀଘା ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ପର୍ଯ୍ୟଯକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି । ସମ୍ଭାବ୍ୟ ବାତ୍ୟା ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଏହା ଲ୍ୟାଣ୍ଡଫଲ୍ କଲେ ପବନର ବେଗ ବଢ଼ିବା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ତା’ ପୂର୍ବରୁ ପ୍ରତିଷେଧମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି ।