ରାତି ୧୨ଟା ୫ରେ ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’


ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କଲା ‘ଦାନା’ । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଛି ଦାନା । ଭିତରକନିକା ହବାଳିଖଟିରେ ସ୍ଥଳଭାଗ ଛୁଇଁଛି । ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ “ଦାନା” ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା ।

ଆଇଏମଡିର ସୂଚନା ଅନୁସାରେ ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି । ବାତ୍ୟାର ରିୟର ସେକ୍ଟର ସ୍ଥଳଭାଗରେ ପ୍ରବେଶ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୨ରୁ ୩ ଘଣ୍ଟା ପାଇଁ ଜାରି ରହିବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଅତିକ୍ରମ କରିବା ପରେ ଦୁର୍ବଳ ହେବ । ଶୁକ୍ରବାର ଅପରାହ୍ଣ ସୁଦ୍ଧା ଏହା ଦୁର୍ବଳ ହୋଇ ସାଇକ୍ଲୋନିକ୍ ଷ୍ଟ୍ରର୍ମର ରୂପ ନେବ । ପରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।

ବାତ୍ୟା ଦାନାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଖବର ଆସିଛି । ଜିଲ୍ଲାର ରାଜନଗର, ଗୁପ୍ତୀ, ଜମ୍ୱୁ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ପ୍ରଭାବିତ ହୋଇଛି । ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଛି ।