ତିରୁପତି ଇସ୍କନ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ


ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଧମକ ମିଳିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିକଟରେ ଲଗାତାର ଭାବେ ଭାରତୀୟ ବିମାନକୁ ବୋମା ଧମକ ମିଳିବା ପରେ ଦୁଇ ଦିନ ହେବ ପ୍ରସିଦ୍ଧ ହୋଟେଲଗୁଡିକୁ ଏପରି ଧମକପୂର୍ଣ୍ଣ ଇମେଲ୍ କରା ଯାଉଥିଲା । ଆଉ ଏବେ ତିରୁପତିର ପ୍ରସିଦ୍ଧ ଇସ୍କନ ମନ୍ଦିରକୁ ବୋମା ଧମକ ମିଳିଛି । ପୋଲିସ ସୂଚନା ଅନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ । ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ।

ତୁରନ୍ତ ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ବୋମା ନିଷ୍କ୍ରିୟ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା । କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳି ନଥିଲା ।

କେହି ଜାଣିଶୁଣି ଏପରି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି । ଏହାପୂର୍ବରୁ ଅକ୍ଟୋବର ୨୬ରେ ମଧ୍ୟ ତିରୁପତିର ଦୁଇଟି ପ୍ରତିଷ୍ଠିତ ହୋଟେଲକୁ ବୋମା ଧମକ ମିଳିଥିଲା । ତଦନ୍ତ ପରେ କୌଣସି ସାମଗ୍ରୀ ମିଳି ନଥିଲା । କେହି ମିଛ ରିପୋର୍ଟ ଦେଇ ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି । ଭାରତୀୟ ବିମାନ ଏବଂ ହୋଟେଲଗୁଡିକୁ ମଧ୍ୟ ଲଗାତାର ଭାବେ ଏପରି ଆତଙ୍କ ସୃଷ୍ଟିକାରୀ କଲ୍ ଓ ମେସେଜ୍ ମିଳୁଛି ।