ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି । ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି । ଯଦି ଟଙ୍କା ନମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛି ।
ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଏହି ମେସେଜ ଆସିଥିଲା । ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା କୁହାଯାଉଛି । ଜଣେ ଅଧିକାରୀ କହିଛନ୍ତି ଯେ ବାର୍ତ୍ତା ପଠାଇଥିବା ବ୍ୟକ୍ତି ଏହା ମଧ୍ୟ କହିଛି, ଯଦି ୨ କୋଟି ଟଙ୍କା ନମିଳେ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିଦେବ । ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସଲମାନଙ୍କୁ ଗୋଟିଏ ଦିନରେ ମିଳିଥିବା ଏହା ଦ୍ୱିତୀୟ ଧମକ । ମଙ୍ଗଳବାର ଦିନ ସଲମାନ ଖାନ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କୁ ଆଉ ଏକ ହତ୍ୟା ଧମକ ମିଳିଥିଲା । ଉଭୟଙ୍କୁ ଟଙ୍କା ମଧ୍ୟ ମଗାଯାଇଥିଲା । ଏହି ମାମଲାରେ ପୋଲିସ ନୋଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଭିଯୁକ୍ତ ଦିଲ୍ଲୀର ବାସିନ୍ଦା । ସେକ୍ଟର ୩୯ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯିବା ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି । ପ୍ରକାଶ ଥାଉ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି । ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବିଷ୍ଣୋଇ ଗ୍ୟାଙ୍ଗ ଏହାର ଦୋଷ ନିଜ ମୁଣ୍ଡକୁ ନେଇଛି ।