କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ଦୁଇ ବିଧାୟକଙ୍କୁ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ । ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ବିଧାୟକଙ୍କୁ ଅଟକାଇ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ । ଆକ୍ରମଣର ଶିକାର ହୋଇଥିବା ଦୁଇ ବିଧାୟକ ହେଲେ ମିନଖା ବିଧାୟିକ ଉଷାରାଣୀ ମଣ୍ଡଳ ଓ ସନ୍ଦେଶଖାଲି ବିଧାୟକ ସୁକୁମାର ମହତା । ପୋଲିସ୍ ଏହି ଦୁଇ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।
ପୋଲିସ୍ ସୂଚନା ଅନୁଯାୟୀ, ବିଧାୟିକା ଉଷାରାଣୀଙ୍କ ଉପରେ ଗୁରୁବାର ଆକ୍ରମଣ ହୋଇଥିଲା । ସେ କାଳୀ ପୂଜା ପେଣ୍ଡାଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ପ୍ରାୟ ଶହେରୁ ଅଧିକ ଲୋକ ତାଙ୍କୁ ଘେରି ଯାଇଥିଲେ ।
ବିଧାୟିକା ମଣ୍ଡଳ କହିଛନ୍ତି, ତାଙ୍କ ଗାଡ଼ିକୁ ଲୋକେ ଘେରି ଯାଇଥିବା ବେଳେ ତାଙ୍କୁ ଭିତରୁ ଟାଣି ବାହାର କରିଦେଇଥିଲେ । ଏହାପରେ ସେମାନେ ତାଙ୍କୁ ମାରପିଟ କରିଥିଲେ । ଏହି ସମୟରେ ଫାଙ୍କା ଗୁଳିଚାଳନା ବି ହୋଇଥିବା ସେ ଅଭିଯୋଗ କରିଛନ୍ତି । ପାର୍ଟିରୁ ନିଲମ୍ବିତ ହୋଇଥିବା ଜଣେ ନେତା ଏପରି କରି ଥାଇ ପାରନ୍ତି ବୋଲି କହିଛନ୍ତି ମଣ୍ଡଳ ।
ଏହାବାଦ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ବିଧାୟକ ସୁକୁମାର ମହତା କହିଛନ୍ତି, ମୁଁ କାଳୀ ପୂଜା ପେଣ୍ଡାଲ ଉଦଘାଟନ କରିବା ପରେ ଘରକୁ ଫେରୁଥିଲି । କିଛି ବଦମାସ ମୋ’ ଗାଡ଼ି ଉପରେ ଅତର୍କିତ ଆକ୍ରମଣ କରିଥିଲେ । ମୋ’ ସହ ଥିବା ପାଟି କାର୍ଯ୍ୟକର୍ତ୍ତାଙ୍କୁ ବି ଆକ୍ରମଣ ହେବାରୁ ଜଣେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ଉଭୟ ମାମଲାର ଯାଞ୍ଚ ଆରମ୍ଭ କରି କିଛି ଲୋକଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ୍ ଅଧିକ ଛାନଭିନ ଜାରି ରଖିଛି ।