ସମ୍ପତ୍ତି ପାଇଁ ମାଆ ଓ ଭଉଣୀକୁ ହତ୍ୟା: ପୁଅ ଓ ନାତିକୁ ବାନ୍ଧିଲା ପୋଲିସ


ସମ୍ବଲପୁର: ସଦର ଥାନା ମାନେଶ୍ଵର ହାଟପଦାରେ ବୃଦ୍ଧା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ସୈରେନ୍ଦ୍ରି ଜୀବନ୍ତ ଦଗ୍ଧ ଘଟଣା ଉପରୁ ହଟିଲା ପରଦା । ସମ୍ପତ୍ତି ପାଇଁ ବୃଦ୍ଧା ମାଆ ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ନେହଲତାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି । ଆଜି  ଅଭିଯୁକ୍ତଙ୍କ କ୍ରାଇନ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ ।

ସେହ୍ନଲତା ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଗତକାଲି ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମାଆ, ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସମ୍ପତ୍ତି ପାଇଁ ମାଆ ଓ ଭଉଣୀକୁ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ । ପୋଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୋଲିସ ।

ମୃତା ବୃଦ୍ଧା ସ୍ନେହଲତାଙ୍କର ୪ ଝିଅ ଓ ଗୋଟିଏ ପୁଅ ଥିଲେ । ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ନିଆଁରେ ପୋଡ଼ି ହୋଇ ଆଉ ଏକ ଝିଅର ମୃତ୍ୟୁ ଘଟିଛି । ସ୍ନେହଲତା ଓ ତାଙ୍କ ଝିଅ ସୈରେନ୍ଦ୍ରିଙ୍କ ସହ ଉପର ମହଲରେ ରହୁଥିବା ବେଳେ ତାଙ୍କ ପୁଅ  ପରିବାର ସହ ତଳ ମହଲାରେ ରହୁଥିଲେ ।