ପ୍ରେମିକା ବିଦେଶ ପଳାଇବାରୁ ତାଙ୍କ ବାପାଙ୍କୁ ଗୁଳି ମାରିଲେ ପ୍ରେମିକ


ହାଇଦ୍ରାବାଦ: ଝିଅକୁ ପ୍ରେମିକଠାରୁ ଅଲଗା କରିବା ପାଇଁ ବିଦେଶ ପଠାଇ ଦେଲେ ବାପା । ଆଉ ପ୍ରେମିକ ହୋଇଗଲେ ଖପ୍ପା । ପ୍ରେମିକାଙ୍କୁ ବିଦେଶ ପଠାଯିବା ଘଟଣାକୁ ନେଇ ତାଙ୍କ ବାପାଙ୍କୁ ମାରିଲେ ଗୁଳି । ଏମିତି ଘଟଣା ଘଟିଛି ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ । ଅଭିଯୋଗ ପରେ ପୋଲିସ ୨୫ ବର୍ଷିୟ ଅଭିଯୁକ୍ତ ବଲବିନ୍ଦର ସିଂହଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଝିଅ ଭଲ ପାଉଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ । ହେଲେ ସେ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଝିଅକୁ ପୁଅଠାରୁ ଅଲଗା କରିବା ପାଇଁ ଆମେରିକା ପଠାଇ ଦେଇଥିଲେ । ଏହା ଜାଣିବା ପରେ ରାଗି ଯାଇଥିଲା ବଲବିନ୍ଦର।

ରବିବାର ଦିନ ପ୍ରେମିକାଙ୍କ ବାପାଙ୍କୁ ଭେଟିବା ପାଇଁ ବଲବିନ୍ଦର ସେ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା । ପ୍ରମିକା ବିଦେଶ ଯିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଲବିନ୍ଦର ପ୍ରେମିକାଙ୍କ ବାପାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଆଖିରେ ଆଘାତ ଲାଗିଛି । କେବଳ ସେତିକି ନୁହେଁ ଗୁଳିମାଡ଼ ଯୋଗୁଁ ତାଙ୍କ କାର୍‌ର କାଚ ମଧ୍ୟ ଭାଙ୍ଗି ଯାଇଛି ।

ସେପଟେ ଏହି ପୂରା ମାମଲା ସିସିଟିଭିରେ କଏଦ ହୋଇଛି । ଫୁଟେଜରେ ବଲବିନ୍ଦର ହାତରେ ଏୟାର ଗନ୍‌ ଧରି ବିଲଡିଂ ପରିସରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବିଏନଏସର ଧାରା ୧୦୯ (ହତ୍ୟା ଉଦ୍ୟମ) ଅନୁଯାୟୀ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଗିରଫ କରିଛି । ବଲବିନ୍ଦର ପ୍ରେମ ନାଁରେ ତାଙ୍କ ଝିଅକୁ ହଇରାଣ କରୁଥିଲା । ଏହାକୁ ନେଇ ନିକଟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିବା ଯୁବତୀଙ୍କ ବାପା ରେବନ୍ତ ଆନନ୍ଦ ନିଜ ଅଭିଯୋଗରେ କହିଛନ୍ତି ।