ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆ “ଜୀବେ ଦୟା ପରମ ଧର୍ମ ” ମନ୍ତ୍ରଟିକୁ ଆଦର୍ଶ ମନେକରି ଜୀବଜନ୍ତୁ ତଥା ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା କରିବା ଉଦ୍ଦେଶ୍ୟରେ ସର୍ବଦା ଲାଗି ରହିଛନ୍ତି I ବିରଳ ପ୍ରଜାତିର ଜନ୍ତୁ, ପକ୍ଷୀ, ସରୀସୃପ ମାନଙ୍କ ଅନୁସନ୍ଧାନ ସହ ବିପଦରେ ପଡ଼ିଥିବା ବନ୍ୟପ୍ରାଣୀ ଓ ପକ୍ଷୀ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ବାସସ୍ଥଳୀରେ ଛାଡ଼ିବା ସାଙ୍ଗକୁ ଆହତ ହୋଇଥିବା ପଶୁପକ୍ଷୀ ମାନଙ୍କୁ ଚିକିତ୍ସା କରାଇ ସୁରକ୍ଷିତ ଜଙ୍ଗଲ ପରିବେଶ ମଧ୍ୟରେ ଛାଡ଼ିବା କାର୍ଯ୍ୟ ତୁଲାଇ ଥାନ୍ତି l ଏଥି ସହିତ ବିଭିନ୍ନ ପ୍ରଜାତିର ବିରଳ ପକ୍ଷୀ ମାନଙ୍କର ସଂରକ୍ଷଣ କରିବା, ବିଲୁପ୍ତ ହୋଇଯାଉଥିବା ଘର ଚଟିଆ ମାନଙ୍କର ସୁରକ୍ଷା କାର୍ଯ୍ୟ କରିବା ସହ ପକ୍ଷୀ ମାନଙ୍କୁ ଖାଦ୍ୟ ଖୁଆଇବା, ଏପରିକି ଗ୍ରୀଷ୍ମ ଋତୁରେ ପାଣି ଦେବା ଏବଂ ବନ୍ୟପ୍ରାଣୀ ଓ ପକ୍ଷୀ ମାନଙ୍କ ପ୍ରତି ଯତ୍ନ ଓ ଭଲପାଇବା ସତ୍ୟଜିତଙ୍କ ନିଶା ଅଟେ l ପ୍ରକୃତି କୋଳରେ ବନ୍ୟପ୍ରାଣୀ , ସରୀସୃପ ଓ ପକ୍ଷୀ ମାନଙ୍କର ସୁରକ୍ଷା କରିବା ସହ ଜୀବଜଗତର ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ପକ୍ଷୀପ୍ରେମୀ ସତ୍ୟଜିତ ପ୍ରକାଶ କରିଛନ୍ତି l