ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଯନ୍ତ୍ରୀମାନଙ୍କ ଅସହଯୋଗ କାରଣରୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏବେ ଅଣକୁଶଳୀ ଶ୍ରମିକମାନେ କାମ ନ ପାଇ ବସି ରହିଥିବାବେଳେ ଏହି କାରଣରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଠପ୍ ହୋଇଯାଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସଂଘର ସଭାନେତ୍ରୀ ଶ୍ରୀୟା କର୍ମୀ ଓ ସମ୍ପାଦକ ସୂର୍ଯ୍ୟନାରାୟଣ ନନ୍ଦଙ୍କ ନେତୃତ୍ବରେ ସମସ୍ତ ସରପଞ୍ଚ ଏଭଳି ଅଭିଯୋଗ ଆଣିଥିବାର ଜଣାଯାଇଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଭଳି ବୀରମହାରାଜପୁର ବ୍ଲକରେ ମଧ୍ୟ ମନରେଗାର ସଠିକ୍ କାର୍ଯ୍ୟକାରିତା ନେଇ ପ୍ରଶାସନ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି ।