Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା: ତିନି ପୁଅ ଓ ମା କୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼: ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହତ୍ୟାକାରୀ ତିନି ପୁଅ ଓ ମାଁ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ହତ୍ୟା ମାମଲାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଜେଲ ଯିବା ଘଟଣା ସମଗ୍ର ରାଜ୍ୟ ପାଇଁ ଏକ ନୂଆ ଘଟଣା। ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୧୪/୬/୨୦୧୮ରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିକୁ ଅନଧିକୃତ ଅକ୍ତିଆର କରି ସକାଳ ୮ଟା ସମୟରେ ସେହି ଗ୍ରାମର ରାଧୁ ଦଣ୍ଡସେନା,ପିତ ଦଣ୍ଡସେନା,ଯଦୁ ଦଣ୍ଡସେନା ଏବଂ ତାଙ୍କ ମାଁ କୁଚିତା ଦଣ୍ଡସେନା ଘର କରିବାକୁ ନିହିଁ ଖୋଳୁଥିଲେ। ତାହା ସରକାରୀ ଜମି ହୋଇଥିବାରୁ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ଦଣ୍ଡସେନା କାମ ବନ୍ଦ କରିବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ରାଗି ଜାଇ ଅଭିଯୁକ୍ତ ରାଧୁ ଦଣ୍ଡସେନାଙ୍କ ହାତକୁ ତାଙ୍କ ମାଁ କୁଚିତା ଦଣ୍ଡସେନା ଟାଙ୍ଗିଆ ବଢେଇ ଦେଇଥିଲେ। ଛାୟାକାନ୍ତକୁ ଅଭିଯୁକ୍ତ ରାଧୁ ଟାଙ୍ଗିଆରେ ହାଣିବା ସମୟରେ ତା’ର ଦୁଇ ଭାଇ ପିତ ଓ ଯଦୁ ଛାୟାକାନ୍ତର ଦୁଇ ହାତକୁ ଧରି ରଖିଥିଲେ। ମୁମୁର୍ଷୁ ଅବସ୍ଥାରେ ଛାୟାକାନ୍ତକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୁନାଗଡ଼ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ,ପିତ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।ସରକାରଙ୍କ ତରଫରୁ ମାମଲାକୁ ସରକାରୀ ଓକିଲ ପୂର୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories