କୋଲକତା: ଅଶାନ୍ତ ପଶ୍ଚିମବଙ୍ଗ । ମୁର୍ସିଦାବାଦ ଜିଲ୍ଲା ପୁଣି ସାମ୍ପ୍ରଦାୟିକ ହିଂସା । ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଅଞ୍ଚଳରେ ଲାଗିଲା କର୍ଫ୍ୟୁ । ଡିଜିଟାଲ ଡିସ୍ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ସଂଘର୍ଷ ଘଟିଥିବା ସୂଚନା । ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି ।
ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ବେଲଡଙ୍ଗାରେ ଘଟିଥିବା ଏହି ସଂଘର୍ଷରେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି । କାର୍ତ୍ତିକ ପୂଜା ପାଣ୍ଡାଲ ନିକଟରେ ଥିବା ଏକ ଫାଟକରେ ଡିସ୍ପ୍ଲେ ବୋର୍ଡରେ ଲେଖାଯାଇଥିବା ବାର୍ତ୍ତା ବିଷୟରେ ଜାଣିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ପିଙ୍ଗିବା ସହ ଲାଠି ମାଡ଼ କରିଥିଲେ ।
ଘଟଣାରେ ଅନେକ ଦୋକାନ, ଘର ଭଙ୍ଗାରୁଜା କରାଯିବା ସହ ଦେଶୀ ବୋମା ମାଡ଼ ମଧ୍ୟ କରାଯାଇଥିଲା । ଏକ ପୋଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଯାହା ପରେ ପୋଲିସ ଲାଠି ମାଡ଼ କରିଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ସୁଦ୍ଧା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଏହି ସଂଘର୍ଷରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେପଟେ ବିଜେପି ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛି । ତ୍ରୁଣମୂଳ କଂଗ୍ରେସର ଜଣେ ନେତା କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଅଭିଯୁକ୍ତଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।