ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ଉରୁକ୍ରମ ପାଣ୍ଡିଆ (୫୦) ଙ୍କ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବରଗଡ ଜିଲ୍ଲାର ପ୍ରତିଷ୍ଠିତ ଏକ ଘରୋଇ ଡାକ୍ତରଖାନାରେ ଗତ କିଛି ଦିନ ହେଲା ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ମୃତ୍ୟୁ ଘଟିଥିଲା । ନିଜ ଜନ୍ମସ୍ଥାନ ବ୍ଲକ ଅନ୍ତର୍ଗତ ପଂଚମହଲା ଗାଁରେ ମୃତଦେହ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଖପାଖ ଅଂଚଳର ଶତାଧିକ ଲୋକ ଶେଷ ଦର୍ଶନ ପାଇଁ ପହଂଚିଥିଲେ । ବିଧବା ମା’, ସ୍ତ୍ରୀ ଏବଂ ତାଙ୍କର ଦୁଇ ପୁଅ ଓ ଝିଅ ସମେତ ବଡଭାଇ ଏବଂ ପରିବାର ବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ରହିଥିଲେ । ଗାଁରେ ମୃତ ଶରୀର ପହଂଚିବା ପରେ କାନ୍ଦ ବୋବାଲିରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଗାଁ ଶ୍ମସାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ବଡଭାଇ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଉରୁକ୍ରମ ପାଣ୍ଡିଆ ଦୀର୍ଘ ବର୍ଷ ଧରି ନିର୍ଦ୍ଦିଷ୍ଟ ଏକ ମାତ୍ର ଖବର କାଗଜରେ ନିର୍ଭିକ ସାମ୍ବାଦିକ ଭାବେ କାର୍ଯ୍ୟ ତୁଳାଇଥିଲେ । ସେ କେବଳ ଜଣେ ସାମ୍ବାଦିକ ନୁହେଁ ବରଂ ମଂଚ ଅଭିନେତା ଏବଂ କଳା ପ୍ରଦର୍ଶନରେ ନିପୁଣ ଜ୍ଞାନ ରହିଥିଲା । କ୍ରିକେଟ ଖେଳରେ ଜିଲ୍ଲା ତଥା ଜିଲ୍ଲା ବାହାରେ ସୁନାମ ଅର୍ଜନ କରିଥିବା ବେଳେ ଗତ କିଛି ବର୍ଷ ଧରି ଉଲୁଣ୍ଡା ବ୍ଲକ କ୍ରିକେଟ ଏସୋସିଏସନ ସଂଯୋଜକ ଭାବେ ସ୍ଥାନୀୟ ଅଂଚଳରେ କ୍ରିକେଟ ଖେଳକୁ ଏକ ନୂଆ ଦିଗ ଦେଖାଇବାରେ ସଫଳ ହୋଇଥିଲେ । ତାଙ୍କ ପରଲୋକ ପରେ ଅମର ଆତ୍ମାର ସଦଗତି ପାଇଁ ଉଲୁଣ୍ଡା ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ଶୋକପ୍ରକାଶ କରାଯାଇଛି । ମୃତ୍ୟୁ ଖବର ପାଇ ମଂଚ ଅଭିନେତା (କଂସ ମହାରାଜ) ସୁଶୀଲ କୁମାର ମେହେର, ଉଲୁଣ୍ଡା ଯୁବ ମହାସଙ୍ଘର ସମସ୍ତ ସଦସ୍ୟ , ବିଭିନ୍ନ ସଙ୍ଗଠନର ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚି ଅମର ଆତ୍ମାର ସଦଗତୀ କାମନା କରିଛନ୍ତି ।