Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଗୁରୁତର ଅଭିଯୋଗ, କଣ୍ଟ୍ରାକ୍ଟ ପାଇବାକୁ ନେଇଥିଲେ ୨ ହଜାରରୁ ଅଧିକ କୋଟିର ଲାଞ୍ଚ

ନୂଆଦିଲ୍ଲୀ: ବିବାଦରେ ବିଶିଷ୍ଟ ଉଦ୍ୟୋଗପତି ତଥା ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ତାଙ୍କ ବିରୋଧରେ ଆମେରିକା ଆଣିଲା ଗୁରୁତର ଅଭିଯୋଗ । ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ଲାଞ୍ଚ ଦେଇଥିବା କହିଛି ଆମେରିକା । ଅଭିଯୋଗ ଅନୁସାରେ ୨୬୫ ମିଲିୟନ ଡଲାର ତଥା ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏହାକୁ ଲୁଚାଇ ଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଉଠିଛି ।

ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଓ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଓ ଅନ୍ୟ ଏକ ସଂସ୍ଥା ସହିତ ଜଡିତ ।

ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ସିରିଲ୍ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛି ।

ରିପୋର୍ଟରେ କୁହାଯାଇଛି ଯେ, ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ସମେତ ଅନ୍ୟ ୭ ଜଣ ସେମାନଙ୍କ ରିନ୍ୟୁଏବଲ ଏନର୍ଜୀ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଓ ଭାରତର ସର୍ବ ବୃହତ ସୋଲାର ପ୍ୟାନେଲ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାରର ଲାଞ୍ଚ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଦାବି କରାଯାଉଛି ଯେ, ସମଗ୍ର ମାମଲା କୋଟି କୋଟି ଡଲାରର ଲାଭ ସହ ଜଡିତ । ରିପୋର୍ଟରେ କୁହାଯାଇଛି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା । ୨୦୨୦ରୁ ୨୦୨୪ ମଧ୍ୟରେ ଅଧିକାରୀମାନଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା । ଏହାସହି ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଏହି ଲାଭ ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକ ଓ ବ୍ୟାଙ୍କଗୁଡିକ ମିଛ କହି ଠକିଥିଲା ଆଦାନୀ ଗ୍ରୁପ ।

ଆଦାନୀ ଗ୍ରୀନ ଏନର୍ଜିର ଅନ୍ୟ ଜଣେ କର୍ମଚାରୀ, ପୂର୍ବତନ ସିଇଓ ବିନିତ ଜୈନ ଋଣଦାତା ଓ ନିବେଶକଙ୍କଠାରୁ ନିଜ ଦୁର୍ନୀତିକୁ ଲୁଚାଇବା ପାଇଁ ୩ ବିଲିୟନ ଡଲାରରୁ ଅଧିକ ଋଣ ଓ ବଣ୍ଡ ସଂଗ୍ରହ କରିଥିଲେ ବୋଲି ଦାବି ହୋଇଛି । ବିନିତ ଜୈନ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ