ଶୁଣ୍ଢରେ ଟେକି ନେଇ କଚାଡ଼ି ମାରିଦେଲା ହାତୀ


ସମ୍ବଲପୁର: ଗାଁରେ ପଶିଥିବା ହାତୀ ପଲଙ୍କୁ ଘଉଡାଇବାକୁ ଯାଇ ଚାଲିଗଲା ଜୀବନ । ଶୁଣ୍ଢରେ ଟେକି ନେଇ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଦେଲା ହାଦୀ । ଘଟଣା ଘଟିଛି ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ୍‌ ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜାମଲୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ । ହାତୀଟି ପୂର୍ଣ୍ଣଚନ୍ଦ୍ରଙ୍କୁ ଏମିତି କଚାଡି ମାରିଛି ଯେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।

ଗତ ରାତିରେ ଗାଁ ଭିତରକୁ ହାତୀ ପଲ ପଶି ଆସିଥିଲେ । ଗ୍ରାମବାସୀ ସମେତ ପୂର୍ଣ୍ଣଚନ୍ଦ୍ର ହାତୀ ଘଉଡାଇବାକୁ ଯାଇଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ଗାଁ ଲୋକ ନିଜ ନିଜ ଘରକୁ ଫେରି ଆସିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ହାତୀ ହାବୁଡରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରି ଦେଇଥିଲା । 

ଆଜି ସକାଳେ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।  ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା ।